Delhi Swine Flu: ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ମାମଲା ୨୩୦୮କୁ ବୃଦ୍ଧି! Influenza-B ଓ Covid ଉପରେ ବି ନଜର
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା H1N1 ମାମଲାକୁ ନେଇ ଚିନ୍ତା ବଢ଼ିଛି। ରାଜଧାନୀରେ ଏପର୍ଯ୍ୟନ୍ତ ୨,୩୦୮ଟି ସ୍ୱାଇନ୍ ଫ୍ଲୁ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ କିଛି ବର୍ଷର ହାରାହାରି ତୁଳନାରେ ଏହି ସଂଖ୍ୟା ପ୍ରାୟ ୮ ଗୁଣ ଅଧିକ ବୋଲି କୁହାଯାଉଛି। ଏହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି।
କେବଳ H1N1 ନୁହେଁ, ଦେଶରେ ଏକାଧିକ ଶ୍ୱାସଜନିତ ଭାଇରସ୍ର ଉପସ୍ଥିତି ମଧ୍ୟ ଚିହ୍ନଟ ହେଉଛି। ICMR ମହାନିର୍ଦ୍ଦେଶକ ରାଜୀବ ବହଲଙ୍କ ସୂଚନା ଅନୁସାରେ, ପ୍ରାୟ ୬୫୦ଟି ଫ୍ଲୁ ମାମଲା ମଧ୍ୟ ରେକର୍ଡ ହୋଇଛି। ଏହାସହ Influenza-B ଏବଂ କିଛି Covid ମାମଲା ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ Influenza-A, Influenza-B ଓ Covid ସମେତ ବିଭିନ୍ନ ଶ୍ୱାସଜନିତ ଭାଇରସ୍ର ଗତିବିଧି ଉପରେ ନଜର ରଖାଯାଉଛି।
କୋଭିଡ୍ ମହାମାରୀ ପରେ ଦେଶର ଭାଇରସ୍ ସର୍ଭେଲାନ୍ସ ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଛି। ୭୩ଟି ଲାବୋରେଟୋରୀ ମାଧ୍ୟମରେ ବିଭିନ୍ନ ଭାଇରସ୍ର ଗତିବିଧି ଉପରେ ନଜର ରଖାଯାଉଛି। ଏପଟେ ଦିଲ୍ଲୀ ସରକାର ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ଭିଡ଼ ଥିବା ସ୍ଥାନରେ ମାସ୍କ ପିନ୍ଧିବା, ନିୟମିତ ହାତ ସଫା କରିବା ଏବଂ ଶ୍ୱାସଜନିତ ସ୍ୱଚ୍ଛତା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

