Fertilizer Black Marketing: ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥାକୁ ନେଇ ସରକାର କଡ଼ା ନଜର ରଖିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ଏଯାବତ୍ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଇ ଦିଆଯାଇଛି। ସେହିପରି ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଯୋଗାଣ ହୋଇଥିବା ବେଳେ ଆହୁରି ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି।
ଆଗାମୀ ଦିନରେ କୃଷି ବିଭାଗ ପକ୍ଷରୁ ଆହୁରି ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦିଆଯିବ। ପୂର୍ବରୁ ସମବାୟ ବିଭାଗକୁ ୩୫ ପ୍ରତିଶତ ସାର ଦିଆଯାଉଥିବା ବେଳେ ଏବେ ଏହାକୁ ୬୦ ପ୍ରତିଶତକୁ ବଢ଼ାଯାଇଛି। ସାର କଳାବଜାରୀ ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ ହୋଇଛି। ଏହି କମିଟିଗୁଡ଼ିକ ସାରର ଯୋଗାଣ ଓ ବିକ୍ରି ଉପରେ ନଜର ରଖୁଛନ୍ତି। କଳାବଜାରୀରେ କେହି ଧରାପଡ଼ିଲେ ତାଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ, ସରକାରୀ ସାରକୁ ଗଞ୍ଜେଇ ଚାଷରେ ବ୍ୟବହାର କରାଯାଉଥିବା ଅଭିଯୋଗକୁ ନେଇ ମଧ୍ୟ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଧାନ ଚାଷ ପାଇଁ ନିଆଯାଇଥିବା ସାର ଗଞ୍ଜେଇ ଚାଷରେ ବ୍ୟବହାର କରୁଥିବା ଜଣାପଡ଼ିଲେ ସମ୍ପୃକ୍ତ ଚାଷୀଙ୍କୁ ଆଉ ସରକାରୀ ସାର ଯୋଗାଇ ଦିଆଯିବ ନାହିଁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସାରର ଅପବ୍ୟବହାର ରୋକିବାକୁ କୃଷି ଓ ସମବାୟ ବିଭାଗ ମିଳିତ ଭାବେ ତଦନ୍ତ କରିବ। ଏହାସହ ବର୍ଷା ଯୋଗୁଁ ଚାଷୀ ପଞ୍ଜିକରଣ ସର୍ଭରରେ ସମସ୍ୟା ଦେଖାଦେଉଥିବା ବେଳେ ଆବଶ୍ୟକ ହେଲେ ପଞ୍ଜିକରଣର ଶେଷ ତାରିଖ ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

