BJD Minority Cell: ବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସଭାପତି ଭାବେ ଏସ୍.କେ. ନିଜାମୁଦ୍ଦିନଙ୍କ ନାମ ଘୋଷଣା
ଭୁବନେଶ୍ୱର: ଦଳକୁ ପୁନର୍ଗଠନ କରିବା ପ୍ରକ୍ରିୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ ସଂଖ୍ୟାଲଘୁ ସେଲ୍ର ସଭାପତି ଦାୟିତ୍ୱ ମିଳିଛି।
ସେହିପରି ଦିଲୀପ ତୀର୍କି, ମୁଜିବୁଲ୍ଲା (ମୁନ୍ନା) ଖାନ ଏବଂ ସାଂସଦ ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ସେଲ୍ର ଉପଦେଷ୍ଟା ନିଯୁକ୍ତ କରାଯାଇଛି। ରୋହିତ ଯୋଶେଫ ତୀର୍କି, ରିଜୱାନା ବେଗମ ଓ ଅମଜାଦ ଅଲ୍ଲୀ ଖାନଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ନୂଆ ଟିମ୍ରେ ୨୮ ଜଣ ଉପସଭାପତି, ୩୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ, ୨୫ ଜଣ ସମ୍ପାଦକ ଓ ୨୧ ଜଣ ଯୁଗ୍ମ ସମ୍ପାଦକଙ୍କୁ ସାମିଲ କରାଯାଇଛି।
୩୦ଟି ସାଂଗଠନିକ ଜିଲ୍ଲାରେ ମଧ୍ୟ ସଂଖ୍ୟାଲଘୁ ସେଲ୍ର ସଭାପତି ଘୋଷଣା କରାଯାଇଛି। ଏଥିରେ ଢେଙ୍କାନାଳରେ ହସରତ ହୁସେନ, ବାଲେଶ୍ୱରରେ ଅବଦଶ ସମାଦ ଖାନ, ଭଦ୍ରକରେ ଜମିଲ ଅଖତର ଖାନ, ଭୁବନେଶ୍ୱରରେ ମୁସରଫ ଖାନ, ବରଗଡ଼ରେ ଏସ୍.କେ. ନାଜିମୁଦ୍ଦିନ, ଗଞ୍ଜାମରେ କୁଲଦୀପ ସିଂ ଧିଲନ, କଟକରେ ଏସ୍.କେ. ହୁମାୟୁନ, ଖୋର୍ଦ୍ଧାରେ ଅଖତର ଅଲ୍ଲୀ ଖାନ, ପୁରୀରେ ଅମିନୁଦ୍ଦିନ ଖାନ ଏବଂ ସମ୍ବଲପୁରରେ ଅଫତାବ ଆଲାମଙ୍କୁ ଦାୟିତ୍ୱ ଦିଆଯାଇଛି। ବଲାଙ୍ଗୀରରେ ଅବଦୁଲ ରଫିକ (ସଜ୍ଜୁ), କଟକ ମହାନଗରରେ ଜନ୍ ଆଶିଷ ବରାଳ ଏବଂ ସୁନ୍ଦରଗଡ଼ରେ ବିଜୟ କୁମାର ସୋରେଙ୍ଗଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିଛି।

