Murder Case: ବିବାଦ ତୁଟାଇବାକୁ ଆସିଥିଲେ ଶ୍ୱଶୁର, ଘାସ କଟା କଟୁରୀରେ ଜୀବନ ନେଲା ଜ୍ୱାଇଁ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ମହୁଲଛାପଲ ଗାଁରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ କରିବାକୁ ଆସିଥିବା ଶ୍ୱଶୁରଙ୍କୁ ଜ୍ୱାଇଁ ଘାସ କଟା କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାଲୋ କଚ୍ଛପ। ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଆନ୍ତୋନୀ ଥାନାରେ ପହଞ୍ଚି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମଙ୍ଗଳବାର ଆନ୍ତୋନୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ପରେ ଏହା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କାଲୋ କଚ୍ଛପ ଝିଅ ଘରକୁ ଆସି ଦମ୍ପତିଙ୍କ ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ତେବେ କୌଣସି କାରଣରୁ ଉତ୍ତେଜିତ ହୋଇ ଆନ୍ତୋନୀ ଏକ ଘାସ କଟା କଟୁରୀରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଅଭିଯୁକ୍ତ ନିଜେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାର ପ୍ରକୃତ କାରଣ ଓ ଘଟଣାକ୍ରମ ଯାଞ୍ଚ କରୁଛି। ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବ ବୋଲି ଜଣାପଡ଼ିଛି।

