Pradeep Panigrahy: ଦକ୍ଷିଣ ଓଡ଼ିଶା ବିକାଶକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବ୍ରହ୍ମପୁର ସାଂସଦ, ଚିଠି ପରେ ତେଜିଲା ରାଜନୀତି
ଗଞ୍ଜାମ: ଗଞ୍ଜାମ ରାଜନୀତିରେ ପୁଣି ଚର୍ଚ୍ଚା ସରଗରମ ହୋଇଛି। ଦକ୍ଷିଣ ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଦକ୍ଷିଣ ଓଡ଼ିଶା ପ୍ରତି ଅବହେଳା ହେଉଥିବା ଅଭିଯୋଗ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଏନେଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କ ଦାବି ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯିବା ସହ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରାଯିବା ଆବଶ୍ୟକ। ତାଙ୍କ କହିବା ଅନୁସାରେ, ଶ୍ରମିକ ସଂଗଠନ, କର୍ମଚାରୀ ମହାସଂଘ ଓ ବୁଦ୍ଧିଜୀବୀ ପ୍ରତିନିଧିମାନେ ତାଙ୍କୁ ଭେଟି ଅଞ୍ଚଳର ବିକାଶକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଟାଉନସିପ୍ ଏବଂ ଭିତ୍ତିଭୂମି ବିକାଶରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ତେବେ ସାଂସଦଙ୍କ ଏହି ଅଭିଯୋଗକୁ ନେଇ ରାଜନୀତି ମଧ୍ୟ ତେଜିଛି। ଦଳୀୟ ବିଧାୟକଙ୍କ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନକୁ ନେଇ ଇତିମଧ୍ୟରେ ଚାରିଥର ବୈଠକ ହୋଇସାରିଛି ଏବଂ ଦକ୍ଷିଣ ଓଡ଼ିଶାକୁ ଅବହେଳା କରାଯାଉନାହିଁ। ଅନ୍ୟପଟେ, ବିଜେଡି କହିଛି ଯେ ପ୍ରଦୀପ ପାଣିଗ୍ରାହୀ ନିଜ ଅନୁଭୂତିକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ସାଂସଦଙ୍କ ଏହି ଚିଠି ଓ ସୋସିଆଲ ମିଡିଆ ପୋଷ୍ଟ ପଛରେ କୌଣସି ରାଜନୈତିକ ଅଭିସନ୍ଧି ରହିଛି କି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

