Adani Energy Solutions: ମହାରାଷ୍ଟ୍ରରେ 4,700 କୋଟିର ବଡ଼ ପ୍ରକଳ୍ପ ହାତେଇଲା ଅଦାନୀ ଗ୍ରୁପ! ୪, 500 ମେଗାୱାଟ ବିଦ୍ୟୁତ୍ ପରିବହନ ହେବ
ମୁମ୍ବାଇ: ଅଦାନୀ ଗ୍ରୁପ୍ର Adani Energy Solutions Ltd (AESL) ମହାରାଷ୍ଟ୍ରରେ 4,700 କୋଟିର ଏକ ବଡ଼ ବିଦ୍ୟୁତ୍ ପରିବହନ ପ୍ରକଳ୍ପ ହାସଲ କରିଛି। ଏହି ପ୍ରକଳ୍ପ ମାଧ୍ୟମରେ କର୍ଣ୍ଣାଟକରେ ଉତ୍ପାଦିତ ପ୍ରାୟ ୪,୫୦୦ ମେଗାୱାଟ ନବୀକରଣଯୋଗ୍ୟ ବିଦ୍ୟୁତ୍ ମହାରାଷ୍ଟ୍ରର ବିଭିନ୍ନ ପ୍ରମୁଖ ଅଞ୍ଚଳକୁ ଯୋଗାଯିବ । ପ୍ରତିଯୋଗିତାମୂଳକ ଟେଣ୍ଡର ପ୍ରକ୍ରିୟାରେ ସବୁଠାରୁ କମ୍ ଦରରେ ପ୍ରସ୍ତାବ ଦେଇ AESL ଏହି ପ୍ରକଳ୍ପ ପାଇଛି।
ଏହି ପ୍ରକଳ୍ପର ନାମ ‘Satara Power Transmission Project’। ପ୍ରକଳ୍ପଟି Satara Power Transmission Ltd ନାମକ କମ୍ପାନୀ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୩୬ ମାସ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏହା ଅଧୀନରେ ୫୬୨ କିଲୋମିଟରରୁ ଅଧିକ ଟ୍ରାନ୍ସମିଶନ୍ ଲାଇନ୍ ଏବଂ ୯,୦୦୦ MVA କ୍ଷମତାର ବିଦ୍ୟୁତ୍ ପରିବର୍ତ୍ତନ ବ୍ୟବସ୍ଥା ନିର୍ମାଣ କରାଯିବ। ଏହା ଦ୍ୱାରା ସତାରା, ପୁଣେ ଏବଂ ମୁମ୍ବାଇ ଅଞ୍ଚଳରେ ବଢ଼ୁଥିବା Pumped Storage Projectsକୁ ମଧ୍ୟ ବିଦ୍ୟୁତ୍ ପରିବହନରେ ସହାୟତା ମିଳିବ।
ଏନେଇ AESLର CEO କନ୍ଦର୍ପ ପଟେଲ କହିଛନ୍ତି ଯେ, ଦେଶରେ ସୌର ଓ ପବନ ଭଳି ନବୀକରଣଯୋଗ୍ୟ ଶକ୍ତିର ଉତ୍ପାଦନ ବଢ଼ୁଥିବାରୁ ଏହାକୁ ଦୂର ଅଞ୍ଚଳକୁ ପହଞ୍ଚାଇବା ପାଇଁ ମଜବୁତ ଟ୍ରାନ୍ସମିଶନ୍ ବ୍ୟବସ୍ଥା ଆବଶ୍ୟକ। ଏହି ପ୍ରକଳ୍ପ ଦକ୍ଷିଣ ଭାରତରୁ ପଶ୍ଚିମ ଭାରତକୁ ବିଦ୍ୟୁତ୍ ପରିବହନକୁ ଆହୁରି ସୁଦୃଢ଼ କରିବ। ପ୍ରକଳ୍ପ ଶେଷ ହେବା ପରେ AESLର ମୋଟ ଟ୍ରାନ୍ସମିଶନ୍ ନେଟୱର୍କ ୨୯, ୭୩୯ କିଲୋମିଟର ଏବଂ ମୋଟ ଟ୍ରାନ୍ସଫର୍ମେସନ୍ କ୍ଷମତା ୧, ୪୩,୪୨୫ MVAରେ ପହଞ୍ଚିବ।

