Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ପତ୍ନୀ ହତ୍ୟା ମାମଲା: ବଦଳିଲା ଫାଶୀ ଦଣ୍ଡ,୩୫ ବର୍ଷ ଜେଲ୍‌! ଦୁଇ ଝିଅଙ୍କୁ ମିଳିବ ୨୦ ଲକ୍ଷ

ଭୁବନେଶ୍ୱରର ବହୁଚର୍ଚ୍ଚିତ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସଞ୍ଜୀତ ଦାଶ ଓରଫ ବାଙ୍କକୁ ଫାଶୀଦଣ୍ଡରୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ଫାଶୀଦଣ୍ଡକୁ ପରିବର୍ତ୍ତନ କରି ତାଙ୍କୁ ଅତି କମ୍‌ରେ ୩୫ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ପୂରଣ ନହେବା ପର୍ଯ୍ୟନ୍ତ ସଞ୍ଜୀତ ମୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ହାଇକୋର୍ଟ କହିଛନ୍ତି ଯେ ଅପରାଧ ଅତ୍ୟନ୍ତ ଜଘନ୍ୟ ହୋଇଥିଲେ ମଧ୍ୟ ଏହା ‘ବିରଳରୁ ବିରଳତମ’ ଶ୍ରେଣୀରେ ଆସୁନାହିଁ।

ଏହା ସହିତ ମୃତ ସରସ୍ୱତୀ ଦାଶଙ୍କ ଦୁଇ ନାବାଳିକା ଝିଅଙ୍କ ପାଇଁ ମଧ୍ୟ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ଦୁଇ ଝିଅଙ୍କ ନାମରେ ୧୦ ଲକ୍ଷ ଟଙ୍କା ଲେଖାଏଁ, ଅର୍ଥାତ୍‌ ମୋଟ ୨୦ ଲକ୍ଷ ଟଙ୍କା ଜାତୀୟକରଣ ବ୍ୟାଙ୍କରେ ଜମା କରିବ। ସେମାନେ ସାବାଳିକା ହେବା ପର୍ଯ୍ୟନ୍ତ ଏହି ଟଙ୍କା ଉଠାଇପାରିବେ ନାହିଁ।

ମାମଲା ଅନୁଯାୟୀ, ୨୦୨୨ ଜୁନ୍‌ ୯ରେ ଟଙ୍କାକୁ ନେଇ ବିବାଦ ପରେ ସଞ୍ଜୀତ ତାଙ୍କ ପତ୍ନୀ ସରସ୍ୱତୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ଏହାପରେ ପାଖରେ ଥିବା ୬ ବର୍ଷର ଝିଅର ଗଳା କାଟି ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ସେତେବେଳେ ତାଙ୍କର ଆଉ ଜଣେ ୩ ଦିନର ଶିଶୁକନ୍ୟା ଥିଲା। ଘଟଣା ପରେ ସରସ୍ୱତୀଙ୍କ ଭାଇ ଭରତପୁର ଥାନାରେ ଏତଲା ଦେଇଥିଲେ। ୨୦୨୪ ଜୁଲାଇ ୩୦ରେ ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ସେସନ୍ସ ଜଜ୍‌ ସଞ୍ଜୀତଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ଏହା ବିରୋଧରେ ସଞ୍ଜୀତ ହାଇକୋର୍ଟରେ ଅପିଲ୍‌ କରିଥିବା ବେଳେ ଦଣ୍ଡାଦେଶ କାଏମ୍‌ ପାଇଁ ରାଜ୍ୟ ସରକାର ମଧ୍ୟ ଅପିଲ୍‌ କରିଥିଲେ। ଉଭୟ ପକ୍ଷର ଶୁଣାଣି ପରେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଫାଶୀଦଣ୍ଡକୁ ୩୫ ବର୍ଷର କଠୋର ଜେଲ୍‌ଦଣ୍ଡରେ ପରିବର୍ତ୍ତନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories