Assam: ପ୍ରେମିକା ପାଇଁ ବାପା-ମା’ଙ୍କ ଲକରରୁ ୫୦ ଲକ୍ଷ ଟଙ୍କା ନଗଦ ଓ ସୁନା ଚୋରି, ପୁଅ ଗିରଫ
ଆସାମ : ଆସାମର ଜୋରହାଟରେ ଚୋରିର ଏକ ଚକିତକର ଘଟଣା ସାମ୍ନାକୁ ଆସିଛି। ବାପା-ମା’ ଘରେ ନଥିବା ସମୟରେ ତାଙ୍କ ଲକରରୁ ପ୍ରାୟ ୫୦ ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଚୋରି ଅଭିଯୋଗରେ ପୁଅ ୟଶ ଧନୁକାଙ୍କୁ ପୁଲିସ ଗିରଫ କରିଛି। ୟଶଙ୍କ ବାପା ଚୋରି ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ୟଶ ଚୋରି କରିଥିବା କିଛି ସୁନା ଗହଣା ବିକ୍ରି କରିଥିଲେ। ଏହି ଟଙ୍କାରେ ସେ ତାଙ୍କ ପ୍ରେମିକା ପୁବାଲି ଦତ୍ତାଙ୍କ ପାଇଁ ଉପହାର କିଣିବା ସହ ତାଙ୍କ ସହ ବୁଲାବୁଲି ଓ ଅନ୍ୟାନ୍ୟ ଖର୍ଚ୍ଚ କରିଥିବା ଅଭିଯୋଗ ରହିଛି। ଚୋରି ଘଟଣା ସମୟରେ ପୁବାଲି ୟଶଙ୍କ ଘରକୁ ଆସିଥିବା ନେଇ ମଧ୍ୟ ପୁଲିସ ତଥ୍ୟ ପାଇଛି। ତେଣୁ ଏହି ଚୋରି ଘଟଣାରେ ପୁବାଲିଙ୍କ ସମ୍ପୃକ୍ତି ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।
ଏହି ମାମଲାରେ ଆଉ ଦୁଇଜଣ ସାମ୍ବାଦିକ ଚୋରି ହୋଇଥିବା ଗହଣା ବିକ୍ରି କରିବାରେ ୟଶଙ୍କୁ ସହଯୋଗ କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ପୁଲିସ ସେମାନଙ୍କ ଭୂମିକାର ମଧ୍ୟ ଯାଞ୍ଚ କରୁଛି। ଚୋରି ହୋଇଥିବା ସମସ୍ତ ଗହଣା ଓ ଟଙ୍କା ଉଦ୍ଧାର କରିବା ସହ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ନିଜ ପୁଅ ଉପରେ ଏଭଳି ଅଭିଯୋଗ ଆସିବା ପରେ ପରିବାର ଲୋକେ ଗଭୀର ଭାବେ ମର୍ମାହତ ହୋଇଥିବା ଜଣାପଡ଼ିଛି |

