Kanpur Viral Video: ଅଳିଆ ଗଦା ସାଇଟ୍ରୁ ଏକ୍ସପାୟରୀ ଚକୋଲେଟ୍ ଓ ଟଫି ନେବାକୁ ଲୋକଙ୍କ ଭିଡ଼, ଭାଇରାଲ୍ ହେଉଛି ଭିଡିଓ
କାନପୁର: ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭିଡିଓରେ ଏକ ଅଳିଆ ଗଦା ସାଇଟ୍ରେ ପକାଯାଇଥିବା ଏକ୍ସପାୟରୀ ଚକୋଲେଟ୍ ଓ ଟଫି ନେବା ପାଇଁ ବହୁ ସଂଖ୍ୟକ ଲୋକ ଭିଡ଼ ଜମାଇଥିବା ଦେଖାଯାଉଛି। ରିପୋର୍ଟ ଅନୁସାରେ, ପାଙ୍କି ହାଇୱେ ନିକଟରେ ଥିବା ଏକ ସାର କାରଖାନା ପାଖରେ ଏହି ମିଠା ସାମଗ୍ରୀଗୁଡ଼ିକୁ ଫିଙ୍ଗାଯାଇଥିଲା। ବିକ୍ରି ପାଇଁ ଅନୁପଯୋଗୀ ଘୋଷଣା ହେବା ପରେ ଚକୋଲେଟ୍ ଓ ଟଫିଗୁଡ଼ିକୁ ସେଠାରେ ଫିଙ୍ଗାଯାଇଥିବା କୁହାଯାଉଛି।
ଭାଇରାଲ୍ ଭିଡିଓରେ ଲୋକମାନେ ଅଳିଆ ଗଦା ସ୍ଥାନରେ ପହଞ୍ଚି ଚକୋଲେଟ୍ ଓ ଟଫି ସଂଗ୍ରହ କରୁଥିବା ନଜର ଆସୁଛନ୍ତି। କିଛି ଲୋକ ଏଗୁଡ଼ିକୁ ବ୍ୟାଗ୍ ଓ କାର୍ଟନ୍ରେ ଭରୁଥିବା ବେଳେ ଆଉ କେତେକ ଲୋକ ସାଇକେଲ୍ ଓ ମୋଟରସାଇକେଲ୍ରେ ନେଇ ଯାଉଥିବା ଦେଖାଯାଇଛି। ଆଉ କିଛି ଲୋକ ମୁଣ୍ଡରେ ଓ ହାତରେ ସାମଗ୍ରୀ ଧରି ଚାଲିଚାଲି ସେଠାରୁ ବାହାରି ଯାଉଥିଲେ। ପ୍ରାୟ ୪ ଦିନ ପୂର୍ବରୁ ଏହି ଭିଡିଓ ରେକର୍ଡ ହୋଇଥିବା କୁହାଯାଉଛି।
ତେବେ ଏହି ଘଟଣା ଖାଦ୍ୟ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ାଇଛି। ବିକ୍ରି ପାଇଁ ଅନୁପଯୋଗୀ ଏବଂ ଏକ୍ସପାୟରୀ ହୋଇଥିବା ସାମଗ୍ରୀକୁ ଅଳିଆ ଗଦା ସାଇଟ୍ରୁ ଲୋକେ ନେଇଯିବା ଫଳରେ ଏହା ପୁଣି ବଜାରକୁ ଫେରିବାର ଆଶଙ୍କା ରହିଛି। ତେଣୁ ଏପରି ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିବା ସମୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଓ ନିୟମ ପାଳନ ଜରୁରୀ ବୋଲି ମତ ପ୍ରକାଶ ପାଉଛି। ଭାଇରାଲ୍ ଭିଡିଓଟି ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି।

