Nepal Flood Alert: ନେପାଳରେ ଭୟଙ୍କର ବନ୍ୟା, ୧୬ ମୃତ! UP-ବିହାରରେ ହାଇ ଆଲର୍ଟ, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା
ନୂଆଦିଲ୍ଲୀ: ନେପାଳରେ ହଠାତ୍ ଆସିଥିବା ବନ୍ୟା ପରେ ଭାରତର ଉତ୍ତରପ୍ରଦେଶ ଓ ବିହାରରେ ମଧ୍ୟ ଚିନ୍ତା ବଢ଼ିଛି। ନେପାଳର ରସୁୱା ଜିଲ୍ଲାରେ ବୁଧବାର ଆସିଥିବା ଆକସ୍ମିକ ବନ୍ୟାରେ ଅତିକମ୍ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ନେପାଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପଡ଼ୋଶୀ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟ ସତର୍କ ହୋଇଛନ୍ତି। ନେପାଳରୁ ବିହାର ଓ ଉତ୍ତରପ୍ରଦେଶକୁ ଅନେକ ନଦୀ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ହଠାତ୍ ଜଳପ୍ରବାହ ବଢ଼ିବାର ଆଶଙ୍କା ରହିଛି।
ବିହାରରେ ପରିସ୍ଥିତି ଉପରେ ନଜର ରଖିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଏନେଇ ବୈଠକ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗଣ୍ଡକ ନଦୀର ଉପର ଜଳଗ୍ରହଣ ଅଞ୍ଚଳରେ ବନ୍ୟା ସ୍ଥିତି ଯୋଗୁଁ ହଠାତ୍ ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ବିହାର ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକଙ୍କୁ ସତର୍କ ରହିବାକୁ କହିଛି। ଗଣ୍ଡକ ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାକୁ ମଧ୍ୟ ଆଲର୍ଟରେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେପାଳରୁ ଉତ୍ତରପ୍ରଦେଶକୁ ଘାଘରା, ଶାରଦା, ଗଣ୍ଡକ ଓ ରାପ୍ତି ଭଳି ପ୍ରମୁଖ ନଦୀ ପ୍ରବାହିତ ହେଉଛି। ଏପଟେ ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୩୮୪ ଜଣ ଯାତ୍ରୀ ନିଖୋଜ ଥିବା ନେପାଳ ଟୁରିଜମ୍ ବୋର୍ଡ ସୂଚନା ଦେଇଛି। ଏଥିରେ ୨୯୧ ଜଣ ବିଦେଶୀ ଓ ୯୩ ଜଣ ନେପାଳୀ ନାଗରିକ ଥିବା ବେଳେ ନିଖୋଜ ବିଦେଶୀଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଥିବା କୁହାଯାଇଛି। ରସୁୱାରେ ୨୬ ଜଣ ନେପାଳ ପୁଲିସ କର୍ମଚାରୀ ଓ ୭ ଜଣ ସଶସ୍ତ୍ର ପୁଲିସ ବଳର ଯବାନ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।

