Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋର ମଣିଷ ନୁହେଁ, CCTV ଦେଖି ପୁଲିସ ଆଶ୍ଚର୍ଯ୍ୟ! ଖାଦ୍ୟ ଭାବି ୪ ଲକ୍ଷର ଗହଣା ନେଇଗଲା କୁକୁର

ମଧ୍ୟପ୍ରଦେଶ: ହସ୍ପିଟାଲରୁ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହେବା ଘଟଣାର ତଦନ୍ତ କରୁଥିଲା ପୁଲିସ। ହେଲେ CCTV ଫୁଟେଜ୍ ଯାଞ୍ଚ କରିବା ପରେ ଯାହା ଦେଖିଲେ, ତାହା ଦେଖି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା। ଚୋର ଜଣେ ମଣିଷ ନୁହେଁ, ବରଂ ଏକ ବୁଲା କୁକୁର। ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲା ହସ୍ପିଟାଲରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି।

ସୂଚନା ଅନୁସାରେ, କାୟମପୁରର ବାସିନ୍ଦା ଲତା ବାଇ ତାଙ୍କ ପୁଅର ଚିକିତ୍ସା ପାଇଁ ହସ୍ପିଟାଲରେ ଥିଲେ। ଘରେ ଗହଣା ରଖିବାକୁ ସୁରକ୍ଷିତ ମନେ ନକରି ସେ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା, ପ୍ରାୟ ୨ ହଜାର ଟଙ୍କା ନଗଦ ଏବଂ କିଛି ଖାଦ୍ୟ ସାମଗ୍ରୀ ଏକ ବ୍ୟାଗ୍‌ରେ ରଖି ହସ୍ପିଟାଲ ଆଣିଥିଲେ। ଅଗଷ୍ଟ ୨୪ ତାରିଖ ରାତି ୧ଟାରୁ ସକାଳ ୬ଟା ମଧ୍ୟରେ ବ୍ୟାଗ୍‌ଟି ଗାଏବ ହୋଇଯାଇଥିଲା। ଏନେଇ ସେ କୋତୱାଲି ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ ହସ୍ପିଟାଲର CCTV ଫୁଟେଜ୍ ଯାଞ୍ଚ କରିଥିଲା। ପ୍ରାୟ ଭୋର ୪ଟା ସମୟର ଫୁଟେଜ୍‌ରେ ଏକ କୁକୁର ସର୍ଜିକାଲ ୱାର୍ଡକୁ ପଶି ବ୍ୟାଗ୍‌ଟିକୁ ମୁହଁରେ ଧରି ବାହାରକୁ ନେଇଯାଉଥିବା ଦେଖାଯାଇଥିଲା। ପରେ ପୁଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ୍ ଅନୁସରଣ କରି କୁକୁରଟିର ଗତିବିଧି ଖୋଜିଥିଲା। ଶେଷରେ ହସ୍ପିଟାଲ ନିକଟରୁ ବ୍ୟାଗ୍‌ଟି ଉଦ୍ଧାର ହୋଇଥିଲା। ଏଥିରେ ଥିବା ଗହଣା ଓ ଅନ୍ୟ ସାମଗ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଥିଲା। ବ୍ୟାଗ୍‌ରେ ଥିବା ଖାଦ୍ୟର ଗନ୍ଧରେ କୁକୁରଟି ଆକର୍ଷିତ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରିଛି। ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସାରି ଗହଣା ଓ ଅନ୍ୟ ସାମଗ୍ରୀ ଲତା ବାଇଙ୍କୁ ଫେରାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories