Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

College Hostelରେ Oily Food ବନ୍ଦ, ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ପୁଷ୍ଟିକର ଦେଶୀ ଖାଦ୍ୟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାଳୟ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଏଣିକି ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟକୁ ଗୁରୁତ୍ୱ ଦିଆଯିବ ନାହିଁ। ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବ। ଖାଦ୍ୟ ପ୍ରସ୍ତୁତିରେ ଖାଇବା ତେଲର ବ୍ୟବହାର ଯଥାସମ୍ଭବ କମାଇବାକୁ ଉଚ୍ଚଶିକ୍ଷା ବିଭାଗ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଜଳଖିଆରେ ପୁରୀ, ବରା, ଆଳୁଚପ୍‌ ଭଳି ଅଧିକ ତେଲରେ ଛଣା ଖାଦ୍ୟକୁ ବାରଣ କରାଯିବ।

ବିଭାଗର ନିର୍ଦ୍ଦେଶ ଅନୁସାରେ, ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ରନ୍ଧା ଯାଉଥିବା ଖାଦ୍ୟରେ ତେଲର ପରିମାଣ କମାଇବା ସହ ପୁଷ୍ଟିକର ଖାଦ୍ୟକୁ ପ୍ରାଥମିକତା ଦିଆଯିବ। ବିଦେଶରୁ ଆସୁଥିବା ପାମୋଲିନ୍‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌ ତେଲ ବଦଳରେ ସୋରିଷ ତେଲ, ଚିନାବାଦାମ ତେଲ ଓ ଘିଅ ଭଳି ଦେଶୀ ତେଲର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ। ଖାଦ୍ୟର ପୁଷ୍ଟିମାନରେ କୌଣସି ସାଲିସ ନକରି ଅଧିକ ତେଲରେ ଛଣା ଖାଦ୍ୟ କମାଇବାକୁ କୁହାଯାଇଛି। ଏହାସହ ଦୈନନ୍ଦିନ ରୋଷେଇରେ ତେଲ ବ୍ୟବହାର କମାଇବା ନେଇ ଏନ୍‌ଏସ୍‌ଏସ୍‌ ଓ ୟୁଥ୍‌ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସଚେତନତା କରାଯିବ।

ଉଚ୍ଚଶିକ୍ଷା ବିଭାଗ କହିଛି ଯେ, କୋଭିଡ୍‌ ମହାମାରୀ ପରଠାରୁ ବିଶ୍ୱରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟବସ୍ଥା ବାରମ୍ବାର ପ୍ରଭାବିତ ହେଉଛି। ୟୁକ୍ରେନ୍‌ ଯୁଦ୍ଧ ଓ ସମ୍ପ୍ରତି ଇରାନ୍‌ ଯୁଦ୍ଧ ପରିସ୍ଥିତି ଯୋଗୁଁ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏଭଳି ପରିସ୍ଥିତିରେ ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ତେଲ ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପଦକ୍ଷେପ ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ