Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Crime: ନକଲି ସୁନା ଦେଇ ଅସଲି ଗହଣା ଠକେଇ, ଧରାପଡ଼ିଲେ ନଣନ୍ଦ-ଭାଉଜ ଯୋଡ଼ି

ଭୁବନେଶ୍ୱର: ନକଲି ସୁନା ଚେନ୍‌ ଦେଖାଇ ଅସଲି ସୁନା ଗହଣା ନେଇଯିବା ଅଭିଯୋଗରେ ନଣନ୍ଦ-ଭାଉଜ ଯୋଡ଼ିକୁ ଧରିଛି ଖାରବେଳନଗର ଥାନା ପୋଲିସ। ଶୁକ୍ରବାର ଭୁବନେଶ୍ୱର ରେଳ ଷ୍ଟେସନରୁ ମାମଲାର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀ ତିୱାରୀଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ସମାନ ଢଙ୍ଗରେ ଠକେଇ ଉଦ୍ୟମ କରୁଥିବା ସାଧନା ତିୱାରୀ ନାମକ ଅନ୍ୟ ଜଣେ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତରୁ ଦୁଇ ମହିଳା ସମ୍ପର୍କରେ ନଣନ୍ଦ-ଭାଉଜ ବୋଲି ଜଣାପଡ଼ିଛି।

ପୋଲିସର ସୂଚନା ଅନୁସାରେ, ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଦୁଇ ମହିଳା ଗ୍ରାହକ ବେଶରେ ସିଟି ଚନ୍ଦନ ଜୁଏଲର୍ସକୁ ଯାଇଥିଲେ। ସେମାନେ ଜାଲ୍‌ ହଲମାର୍କ ଲାଗିଥିବା ପ୍ରାୟ ୨୨.୮୫୦ ଗ୍ରାମ ଓଜନର ଏକ ନକଲି ସୁନା ଚେନ୍‌ ଦୋକାନରେ ଦେଇଥିଲେ। ଏହା ବଦଳରେ ୨୨ କ୍ୟାରେଟ୍‌ର ଅସଲି ସୁନା ହାର ନେଇ ସେଠାରୁ ଚାଲିଯାଇଥିଲେ। ପରେ ଚେନ୍‌ଟି ନକଲି ବୋଲି ଜଣାପଡ଼ିବା ପରେ ଦୋକାନୀ ଭୁବନେଶ୍ୱର ଜୁଏଲରୀ ଆସୋସିଏସନ୍‌କୁ ଜଣାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା।

ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରି ପୋଲିସ ଅଗଷ୍ଟ ୨୫ ତାରିଖରେ ସାଧନା ତିୱାରୀଙ୍କୁ ଅନ୍ୟ ଏକ ସୁନା ଦୋକାନରେ ସମାନ ଢଙ୍ଗରେ ଠକେଇ ଉଦ୍ୟମ କରୁଥିବା ବେଳେ ଧରିଥିଲା। ପଚରାଉଚରା ପରେ ମାମଲାର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀ ତିୱାରୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଶୁକ୍ରବାର ପୋଲିସ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଉତ୍ତରପ୍ରଦେଶର ବାରାଣସୀ ଅଞ୍ଚଳର ଲକ୍ଷ୍ମୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଏକ ଆଇଫୋନ୍‌ ଓ ସୁନା ବ୍ରେସଲେଟ୍‌ ଜବତ କରାଯାଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ