Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Burla Firing: ଦିନଦ୍ୱିପ୍ରହରେ ଫୁଟିଲା ଗୁଳି, ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ; ପରକୀୟା ପ୍ରୀତିକୁ ନେଇ ସନ୍ଦେହ

ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ କରିଥିବା ମହମ୍ମଦ ଅନିଶ (୩୬)ଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ଗୁରୁତର ଆହତ ଅନିଶଙ୍କୁ ତୁରନ୍ତ ବୁର୍ଲା ଭୀମସାରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରାଜା ସ୍ୱାମୀ (୨୫)ଙ୍କୁ ଅଟକ ରଖିଛି।

ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ଅନିଶଙ୍କ ନିକଟରେ କାମ କରୁଥିବା ରାଜା ସ୍ୱାମୀ ହିଁ ଏହି ଗୁଳିକାଣ୍ଡ ଘଟାଇଛନ୍ତି। ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଅନିଶଙ୍କ ଉପରେ ଅତିକମ୍‌ରେ ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରୁ ୫ଟି ଖୋକା ମିଳିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବେଆଇନ ବନ୍ଧୁକ ମଧ୍ୟ ଜବତ କରିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ତେବେ ଏହି ବୁର୍ଲା ହତ୍ୟାକାଣ୍ଡ ଘଟଣା ପଛରେ ପ୍ରକୃତ କାରଣ କ’ଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଘଟଣା ପଛରେ ପରକୀୟା ପ୍ରୀତି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତ ରାଜା ସ୍ୱାମୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ତଦନ୍ତ ଶେଷ ହେବା ପରେ ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories