Karnataka Minister B Nagendra Resigns: ଦୁର୍ନୀତି ଅଭିଯୋଗ ମଧ୍ୟରେ ପୁଣି ମନ୍ତ୍ରୀ ପଦ ଛାଡ଼ିଲେ ନାଗେନ୍ଦ୍ର, ଆଖିରେ ଲୁହ ନେଇ କହିଲେ- ‘ମୋତେ ଟାର୍ଗେଟ କରାଯାଉଛି’
କର୍ଣ୍ଣାଟକ: ଦୁର୍ନୀତି ଅଭିଯୋଗକୁ ନେଇ ଚାପ ବଢ଼ିବା ପରେ କର୍ଣ୍ଣାଟକ ମନ୍ତ୍ରୀ ବି. ନାଗେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଡି.କେ. ଶିବକୁମାରଙ୍କ କ୍ୟାବିନେଟ୍ରେ ସାମିଲ ହେବାର ମାତ୍ର ୨୫ ଦିନ ପରେ ନାଗେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ନିଜର ଇସ୍ତଫା ଘୋଷଣା କରିବା ସମୟରେ ସେ ଭାବପ୍ରବଣ ହୋଇପଡ଼ିଥିଲେ। ଏହା ଦ୍ୱିତୀୟ ଥର ଯେତେବେଳେ ଏହି ବିବାଦକୁ ନେଇ ସେ କର୍ଣ୍ଣାଟକ କ୍ୟାବିନେଟ୍ରୁ ଓହରିଛନ୍ତି। ୨୦୨୪ ଜୁନ୍ରେ ମଧ୍ୟ ଭାଲ୍ମିକୀ କର୍ପୋରେସନ୍ର ଅର୍ଥ ଅନଧିକୃତ ଭାବେ ସ୍ଥାନାନ୍ତର ଅଭିଯୋଗ ପରେ ସେ ମନ୍ତ୍ରୀ ପଦ ଛାଡ଼ିଥିଲେ।
ଇସ୍ତଫା ଘୋଷଣା କରି ନାଗେନ୍ଦ୍ର କହିଛନ୍ତି ଯେ,ସେ ସ୍ୱଇଚ୍ଛାରେ ମନ୍ତ୍ରୀ ପଦରୁ ଓହରୁଛନ୍ତି। ଆଖିରେ ଲୁହ ନେଇ ସେ ଅଭିଯୋଗ କରିଥିଲେ ଯେ, ଦଳିତ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ଭାଲ୍ମିକୀ କର୍ପୋରେସନ୍ର କଥିତ ଅର୍ଥ କାରବାରରେ ତାଙ୍କ ସ୍ୱାକ୍ଷର କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିବା ସହ ବ୍ୟାଙ୍କଗୁଡ଼ିକ ମଧ୍ୟ ଏହି କାରବାରରେ ଜଡ଼ିତ ଥିବାବେଳେ ତାଙ୍କୁ କାହିଁକି ଦାୟୀ କରାଯାଉଛି ବୋଲି ପଚାରିଥିଲେ। ଏହି ବିବାଦ ୨୦୨୪ ମେ’ରେ ଭାଲ୍ମିକୀ ଟ୍ରାଇବାଲ୍ ଡେଭଲପମେଣ୍ଟ କର୍ପୋରେସନ୍ର ଆକାଉଣ୍ଟସ୍ ସୁପରିଣ୍ଟେଣ୍ଡେଣ୍ଟ ପି. ଚନ୍ଦ୍ରଶେଖରନଙ୍କ ଆତ୍ମହତ୍ୟା ଏବଂ ତାଙ୍କ ଛଅ ପୃଷ୍ଠାର ଚିଠି ପରେ ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ତଦନ୍ତରେ କର୍ପୋରେସନ୍ର ଏକ ଆକାଉଣ୍ଟରୁ ୮୯.୬୩ କୋଟି ଟଙ୍କା ଏକ Union Bank of India ଆକାଉଣ୍ଟକୁ ଏବଂ ପରେ ଏକାଧିକ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଥିଲା।
ଏହି ଘଟଣାକୁ ନେଇ BJP ଓ JD(S) ନାଗେନ୍ଦ୍ରଙ୍କ ଇସ୍ତଫା ଦାବି କରିବା ସହ କର୍ଣ୍ଣାଟକ ବିଧାନସଭା ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେପ୍ଟେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଇଚୁରରୁ ବଲ୍ଲାରୀ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ମଧ୍ୟ BJP ଓ JD(S) ଘୋଷଣା କରିଛନ୍ତି। ନାଗେନ୍ଦ୍ରଙ୍କ ଇସ୍ତଫା ପରେ ଡି.କେ. ଶିବକୁମାର କହିଛନ୍ତି ଯେ, ସରକାର ବିରୋଧୀଙ୍କ ଚାପରେ ନଇଁନାହିଁ, ବରଂ ଦଳକୁ ଅସୁବିଧାରେ ନପକାଇବା ପାଇଁ ଜଣେ ‘ବିଶ୍ୱସ୍ତ କର୍ମୀ ଓ ନେତା’ ଭାବେ ନାଗେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାର ନାଗେନ୍ଦ୍ରଙ୍କୁ ନିର୍ଦ୍ଦୋଷ ବୋଲି କହିଥିବା ବେଳେ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗର ଆଧାର ନେଇ ପ୍ରଶ୍ନ ଉଠାଇଥିଲେ।

