Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Former Minister Dambaru Majhi Dies: ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ, ୪ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କରିଥିଲେ କାର୍ଯ୍ୟ

ନବରଙ୍ଗପୁର: ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ ଘଟିଛି। ଗୁରୁତର ଅସୁସ୍ଥ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICUରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୬୭ରୁ ୧୯୯୦ ମଧ୍ୟରେ ଡମ୍ବରୁ ମାଝୀ ପରିବହନ, ଅର୍ଥ ଓ ସଂସ୍କୃତି ଭଳି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ୪ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ।

ଡମ୍ବରୁ ମାଝୀ ତତ୍କାଳୀନ କୋଡିଙ୍ଗା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦୀର୍ଘ ରାଜନୈତିକ ଜୀବନରେ ସେ ସ୍ୱତନ୍ତ୍ର ଦଳ, ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ ଏବଂ ବିଜେପି ସହ ଜଡ଼ିତ ଥିଲେ। ରାଜ୍ୟ ରାଜନୀତିରେ ବିଭିନ୍ନ ସମୟରେ ସେ ନିଜର ସକ୍ରିୟ ଭୂମିକା ନିଭାଇଥିଲେ।

୨୦୦୯ରେ ଡମ୍ବରୁ ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ। ପରେ ୨୦୧୮ ଅକ୍ଟୋବରରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଦୀର୍ଘ ରାଜନୈତିକ ଜୀବନରେ ୪ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଡମ୍ବରୁ ମାଝୀଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories