Mohammad Abbas Record: Lord’sରେ ‘ମହମ୍ମଦ ଅବ୍ବାସ’ ଙ୍କ ଐତିହାସିକ ମୁହୂର୍ତ୍ତ! ୫ ୱିକେଟ ନେଇ ଭାଙ୍ଗିଲେ ବଡ଼ ରେକର୍ଡ
ଲର୍ଡ୍ସ: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅବ୍ବାସ ଲର୍ଡ୍ସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ୫ ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି। ତାଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡର ଦ୍ୱିତୀୟ ପାଳି ୨୦୮ ରନ୍ରେ ସୀମିତ ରହିଥିଲା। ଫଳରେ ପାକିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୩୮୯ ରନ୍ର ଲକ୍ଷ୍ୟ ମିଳିଥିଲା। ତେବେ ଲକ୍ଷ୍ୟର ପିଛା କରି ପାକିସ୍ତାନର ଆରମ୍ଭ ଭଲ ହୋଇନଥିଲା ଏବଂ ମାତ୍ର ୧୪ ରନ୍ରେ ଦଳ ତୃତୀୟ ୱିକେଟ ହରାଇଥିଲା।
ଦ୍ୱିତୀୟ ପାଳିରେ ଅବ୍ବାସ ପ୍ରଥମେ ଓପନର ଇମିଲିଓ ଗ୍ୟାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହାପରେ ହ୍ୟାରି ବୃକ୍ (୩୪), ଡେନ୍ ଲରେନ୍ସ (୫୪) ଏବଂ ଜେମି ସ୍ମିଥ୍ (୭)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଶେଷରେ ଓଲି ରବିନସନ୍ (୮)ଙ୍କ ୱିକେଟ ନେଇ ଅବ୍ବାସ ନିଜର ୫ମ ୱିକେଟ ପୂରଣ କରିଥିଲେ। ଏହି ୫ ୱିକେଟ ସହ ଲର୍ଡ୍ସ ଟେଷ୍ଟର ଏକ ପାଳିରେ ୫ ୱିକେଟ ନେଇଥିବା ପାକିସ୍ତାନର ୭ମ ବୋଲର ହୋଇଛନ୍ତି ଅବ୍ବାସ। ତାଙ୍କ ପୂର୍ବରୁ ଖାନ୍ ମହମ୍ମଦ, ମୁଦସ୍ସର ନଜର, ୱାକାର ୟୁନିସ, ମୁସ୍ତାକ ଅହମ୍ମଦ, ମହମ୍ମଦ ଅମିର ଏବଂ ୟାସିର ଶାହ ଏହି ସଫଳତା ହାସଲ କରିଥିଲେ।
ଲର୍ଡ୍ସରେ ଏକ ପାଳିରେ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ଏବେ ମଧ୍ୟ ମୁଦସ୍ସର ନଜରଙ୍କ ନାମରେ ରହିଛି। ସେ ୩୨ ରନ୍ ଦେଇ ୬ଟି ୱିକେଟ ନେଇଥିଲେ। ଅନ୍ୟପକ୍ଷରେ ଅବ୍ବାସ ପ୍ରଥମ ପାଳିରେ ୪ଟି ୱିକେଟ ନେଇଥିବାରୁ ଏହି ଟେଷ୍ଟରେ ତାଙ୍କ ମୋଟ ୱିକେଟ ସଂଖ୍ୟା ୯ରେ ପହଞ୍ଚିଛି। ଏହା ସହ ସେ ଲର୍ଡ୍ସ ଟେଷ୍ଟର ଗୋଟିଏ ମ୍ୟାଚ୍ରେ ସର୍ବାଧିକ ୱିକେଟ ନେଇଥିବା ପାକିସ୍ତାନୀ ବୋଲରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ତାଙ୍କ ପୂର୍ବରୁ ୟୁନିସ ୱାକାର ୧୯୯୬ରେ ୮ଟି ୱିକେଟ ନେଇଥିଲେ।

