Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଭାବ୍ୟ ଗଭୀର ଅବପାତ ଓ ବର୍ଷାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି।ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ରେଡ୍ ଜୋନ୍ ଥିବା ହେତୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ତୀବ୍ର ବେଗରେ ପବନ ହେବାର ସମ୍ଭାବନା ରହିଛି। ସେଥି ନେଇ ଜିଲ୍ଲା, ବ୍ଲକ୍ ଓ ତହସିଲ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ମୁଖ୍ୟାଳୟ ନଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବାହିନୀକୁ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବହୁମୁଖୀ ବାତ୍ୟାଆଶ୍ରୟସ୍ଥଳୀଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ମରାମତି, ବିଦ୍ୟୁତ୍ ଓ ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ସାତଟି ବ୍ଲକ୍‌ର ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୂସ୍ଖଳନପ୍ରବଣ ଅଞ୍ଚଳ, ପାହାଡ଼ ତଳେ ରହୁଥିବା ଲୋକ, ତଳିଆ ଅଞ୍ଚଳ ଓ ଦୁର୍ବଳ କିମ୍ବା କଚ୍ଚା ଘରେ ରହୁଥିବା ପରିବାରଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଚୁଡ଼ା,ଗୁଡ଼,ଚିନି, ମହମବତୀ, କିରୋସିନ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି। ପ୍ରବଳ ବର୍ଷା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ବାହାରକୁ ନ ବାହାରିବା ଏବଂ ନଦୀ, ନାଳ ଓ ଅନ୍ୟାନ୍ୟ ଜଳାଶୟ ନିକଟକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ବ୍ଲକ୍, ଗ୍ରାମପଞ୍ଚାୟତ ଓ ଗ୍ରାମସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀମତୀ ଭଗତ ସାମଲ କଲ୍ୟାଣରାଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଡିଓ, ତହସିଲଦାର ଓ ଲାଇନ୍ ବିଭାଗୀୟ ଅଧିକାରୀ ଆଭାସୀ ବୈଠକରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।