Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cyclone Preparedness Odisha: ବାତ୍ୟା ମୁକାବିଲାକୁ ସରକାରଙ୍କ ଆକ୍ସନ୍‌ ପ୍ଲାନ୍‌, ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ, ପ୍ରସ୍ତୁତି ତଦାରଖ କରିବେ ମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ବାତ୍ୟା ପୂର୍ବ ପ୍ରସ୍ତୁତି, ଜିଲ୍ଲାସ୍ତରରେ ପ୍ରଶାସନିକ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ସହାୟତାର ତଦାରଖ କରିବା ଉପରେ ମନ୍ତ୍ରୀମାନେ ଗୁରୁତ୍ୱ ଦେବେ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୋରାପୁଟ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ, ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ଗଞ୍ଜାମ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି ଜିଲ୍ଲାର ଦାୟିତ୍ୱ ମିଳିଛି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଳାହାଣ୍ଡି ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଜପତି ଜିଲ୍ଲାର ପ୍ରସ୍ତୁତି ତଦାରଖ କରିବେ।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦେଖି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ପ୍ରସ୍ତୁତିର ସମୀକ୍ଷା କରିବେ ମନ୍ତ୍ରୀମାନେ। ଜରୁରୀ ସେବା, ଆବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ପ୍ରଭାବିତ ଅଞ୍ଚଳରେ ପ୍ରଶାସନିକ ବ୍ୟବସ୍ଥା କିପରି ସୁଚାରୁ ରହିବ, ସେଥିପ୍ରତି ଧ୍ୟାନ ଦିଆଯିବ। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories