Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cyclone Arnab Alert: ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବଡ ପ୍ରସ୍ତୁତି, ୮ NDRF ଓ ୪୦ ODRAF ଟିମ୍‌ ମୁତୟନ; ପ୍ରସ୍ତୁତ ହୋଇଛି ୧୩୫ ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସୋମବାର ସକାଳ ସାଢ଼େ ୫ଟା ସୁଦ୍ଧା ଏହା ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିଲା। ଏହା ବିଶାଖାପାଟଣାଠାରୁ ପ୍ରାୟ ୬୫୦ କିଲୋମିଟର ଦୂରରେ ଥିବା ବେଳେ ଆଗକୁ ଅଧିକ ଘନୀଭୂତ ହେବା ଏବଂ ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ଏବଂ ସର୍ବାଧିକ ୧୪୦ କିଲୋମିଟର ରହିବାର ଆଶଙ୍କା ଥିବାରୁ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତତ୍ପରତା ପ୍ରକାଶ ପାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ରାଜେଶ ପ୍ରଭାକର ପାଟିଲ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ରାଜ୍ୟରେ ୮ଟି NDRF ଓ ୪୦ଟି ODRAF ଟିମ୍‌ ମୁତୟନ କରାଯାଇଛି। ଏହାସହ ସ୍ଥଳସେନା ଓ ବାୟୁସେନା ସହ ଯୋଗାଯୋଗ ରଖାଯାଇଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ସହ କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲା ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି।

ରାଜ୍ୟରେ ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଜିଲ୍ଲା ପ୍ରଶାସନକୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଜାଗ ରଖାଯାଇଥିବା ବେଳେ ଉଦ୍ଧାରକାରୀ ଦଳ ଓ ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories