କୋଟିଆରେ SIR ପରେ ବି ଦୁଇଟି Voter Card କିପରି ରହିଲା? ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ
AI-generated editorial illustration for this story.
କୋଟିଆରେ SIR ପରେ ବି ଲୋକଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର କିପରି ରହିଲା ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିରୋଧୀ ବିଧାୟକମାନେ। କୋଟିଆ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସେମାନେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ସୁବିଧାର ପ୍ରଲୋଭନ ଦେଖାଇ କୋଟିଆବାସୀଙ୍କୁ ନିଜ ପଟକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର କ’ଣ କରୁଛନ୍ତି, ତାହା ଜଣାଇବାକୁ ସେମାନେ ଦାବି କରିଥିଲେ।
ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, କୋଟିଆବାସୀ ମନରୁ ଓଡ଼ିଶା ସହ ଅଛନ୍ତି। ତେବେ ଆନ୍ଧ୍ରପ୍ରଦେଶ ସେଠାରେ ଦରମା ଦେଇ ସୂଚନାଦାତା ରଖିଛି ଏବଂ କୋଟିଆର ଖଣିଜ ସମ୍ପଦ ଉପରେ ପଡ଼ୋଶୀ ରାଜ୍ୟର ନଜର ରହିଛି ବୋଲି ସେ ଅଭିଯୋଗ କରିଥିଲେ। କାଡ୍ରାକ ଆପାଲସ୍ବାମୀ କହିଥିଲେ, ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପି କୋଟିଆ ସମସ୍ୟାର ସମାଧାନ କରିପାରିନି। ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ବିଜେପିର ବର୍ତ୍ତମାନ ରାଜ୍ୟ ସଭାପତି ସେତେବେଳେ କ’ଣ ପଦକ୍ଷେପ ନେଇଥିଲେ ବୋଲି ସେ ପଚାରିଥିଲେ। ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶର କଲ୍ୟାଣକାରୀ ଯୋଜନା 3 ଗୁଣ ଅଧିକ ଏବଂ ସେହି ଯୋଜନା ଦେଖାଇ କୋଟିଆବାସୀଙ୍କୁ ଆକର୍ଷିତ କରାଯାଉଛି ବୋଲି ଗଣେଶ୍ବର ବେହେରା କହିଥିଲେ।
କୋଟିଆର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡ଼ା ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଥିଲେ। ଓଡ଼ିଶାର ସମସ୍ତ ସୀମା ସମ୍ପର୍କରେ ସରକାର ସ୍ପଷ୍ଟ ତଥ୍ୟ ରଖନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ବୋଲି ଦିବ୍ୟଶଙ୍କର ମିଶ୍ର ଦାବି କରିଥିଲେ। କେନ୍ଦ୍ର ଉଭୟ ରାଜ୍ୟର ବୈଠକ ଡାକୁ ଏବଂ ଓଡ଼ିଶାର ସାଂସଦମାନେ ସଂସଦରେ ପ୍ରସଙ୍ଗ ଉଠାନ୍ତୁ ବୋଲି ମଧ୍ୟ ସେ କହିଥିଲେ। ଅନ୍ୟପଟେ, କୋଟିଆ ଓଡ଼ିଶାର ଥିଲା ଓ ରହିବ ବୋଲି କହି ବିଜେପି ବିଧାୟକ ବାବୁ ସିଂହ ପୂର୍ବ ସରକାରଙ୍କ ଭୂମିକାକୁ ପ୍ରଶ୍ନ କରିଥିଲେ। ପୂର୍ବରୁ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ କରିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ’ଣ କରିଥିଲେ ବୋଲି ସେ ପଚାରିଥିଲେ। ବିଜେପିର ରଘୁରାମ ମାଛ, ରୁପୁ ଭାତ୍ରା ଓ ନରସିଂହ ମାଡ଼କାମୀ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

