ନୂଆଦିଲ୍ଲୀ: ବିସିସିଆଇ ଆନୁକୂଲ୍ୟରେ ଭାରତରେ ଅକ୍ଟୋବର ୫ରୁ ଦିନିଆ ବିଶ୍ଵକପର ୧୩ତମ ସଂସ୍କରଣ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରେମୀ ଏହି ଆଶା ରଖିଛନ୍ତି ଯେ, ଭାରତୀୟ ଦଳ ୨୦୧୧ର କରିସ୍ମା ପୁଣି ଥରେ ଦୋହରାଇବ ଏବଂ ୧୦ ବର୍ଷ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିବ। ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ୨୦୧୧ ବିଶ୍ଵ ଚାମ୍ପିଅନ ଦଳର ସଦସ୍ୟ ରହିଥିବା ବୀରେନ୍ଦ୍ର ସେହ୍ଵାଗଙ୍କ ମତରେ ଯେମିତି ୨୦୧୧ ବିଶ୍ଵକପରେ ଦଳ ଯେମିତି ସଚିନ ତେନ୍ଦୁଲକରଙ୍କ ପାଇଁ ବିଶ୍ଵକପ୍ ଜିତିଥିଲା, ଠିକ୍ ସେମିତି ୨୦୨୩ରେ ଦଳ ବିରାଟ କୋହଲିଙ୍କ ପାଇଁ ଟାଇଟଲ୍ ଜିତିବା ଉଚିତ୍। କିନ୍ତୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରାୟ ଭିନ୍ନ ରହିଛି।
ସେ କହିଛନ୍ତି, କିଏ ପ୍ରଥମ ବିଶ୍ଵକପ୍ ଖେଳୁଛି କିମ୍ବା କିଏ ଶେଷ ବିଶ୍ଵକପ୍ ଖେଳୁଛି, ସେଥିରେ କିଛି ଫରକ ପଡେ ନାହିଁ। କେବଳ ଗୋଟିଏ ଜିନିଷ ଫରକ ପଡ଼େ ତାହା ହେଉଛି ଖେଳାଳିଙ୍କ ପ୍ରଦର୍ଶନ। ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବୟସ ୩୪-୩୫ ବର୍ଷ। ମୋତେ ଜଣା ନାହିଁ ଯେ, ଏହି ଖେଳାଳି ପରବର୍ତ୍ତୀ ବିଶ୍ଵକପ୍ ଖେଳିବେ କି ନାହିଁ। କିନ୍ତୁ ଏଥର ତ ପ୍ରତି ବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେଉଛି। ତେଣୁ ମୋତେ ଲାଗୁଛି ରୋହିତ ଶର୍ମା ଅଧିନାୟକ ଭାବେ ଏବଂ ବିରାଟ କୋହଲି ବଡ଼ ଖେଳାଳି ଭାବେ ୨୦୨୩ ବିଶ୍ଵକପରେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିବାକୁ ବ୍ୟାକୁଳ ଅଛନ୍ତି।
ଦାଦା କହିଛନ୍ତି, ମୋତେ ଲାଗୁଛି ଦୁଇ ଖେଳାଳି ଦଳଗତ ହିସାବରେ ଚାମ୍ପିଅନ ହେବାକୁ ଚାହିଁବେ। ୨୦୧୧ ବିଶ୍ଵକପରେ ବିରାଟ କୋହଲି ଦଳର ସଦସ୍ୟ ଥିବା ବେଳେ ରୋହିତ ଶର୍ମା ଦଳରେ ସ୍ଥାନ ପାଇ ପାରି ନଥିଲେ। ୨୦୧୧ ବିଶ୍ଵକପ୍ ଫାଇନାଲ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିଲା। ଭାରତ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ ହୋଇଥିଲା। ଏହା ପରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ପୂରା ଷ୍ଟାଡିୟମ ବୁଲାଇଥିଲେ।