Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାନ ନାଗରିକ ସଂହିତା ଉପରେ କଂଗ୍ରେସର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ: ଜୟରାମ ରମେଶ

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ କଂଗ୍ରେସ ଶନିବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳ କହିଛି ଏହି ସ୍ତରରେ ଏହାକୁ ଲାଗୁ କରିବା ଠିକ୍ ହେବନି। ପାର୍ଟି କହିଛି, ଏହି ପ୍ରସଙ୍ଗରେ ଯଦି କୌଣସି ଡ୍ରାଫ୍ଟ, ବିଧେୟକ କିମ୍ବା ରିପୋର୍ଟ ଆସେ ତେବେ କିଛି ସ୍ପଷ୍ଟ କୁହାଯାଇ ପାରିବ। ଗତକାଲି କଂଗ୍ରେସର ବସିଥିବା ସଂସଦୀୟ କମିଟି ବୈଠକରେ ୟୁସିସି ଉପରେ ଆଲୋଚନା ହୋଇଛି।

ଏଥିସହ ସଂସଦର ମୌସୁମୀ ଅଧିବେଶନରେ ଉଠା ଯିବାକୁ ଥିବା ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ମଣିପୁର ହିଂସା, ପହିଲମାନଙ୍କ ବିରୋଧ, ମୁଦ୍ରାସ୍ପୀତି, ବେରୋଜଗାରୀ ଏବଂ ବିଭିନ୍ନ ରାଜ୍ୟପାଳଙ୍କ ଆଚରଣକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛି।

ବୈଠକ ପରେ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ପାର୍ଟି ସମାନ ନାଗରିକ ସଂହିତା ଉପରେ ଜୁନ ୧୫ ପୂର୍ବରୁ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ୟୁସିସିକୁ ନେଇ କଂଗ୍ରେସର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ। ଗତ ୧୫ ଦିନରେ ଏହି ମାମଲାରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ। ଏଥିପାଇଁ ପାର୍ଟି ପାଖରେ ଏହା ଉପରେ କହିବା ପାଇଁ କିଛି ନାହିଁ। ଯେବେ କୌଣସି ଡ୍ରାଫ୍ଟ, ବିଧେୟକ କିମ୍ବା ରିପୋର୍ଟ ଆସିବ ତା ଉପରେ ପାର୍ଟି ସମୀକ୍ଷା କରିବ। ବର୍ତ୍ତମାନ ଆମ ପାଖରେ ପ୍ରତିକ୍ରିୟା ପାଇଁ କେବଳ ବିଧି ଆୟୋଗଙ୍କ ସାର୍ବଜନୀନ ନୋଟିସ୍ ରହିଛି।

ଗତକାଲି ସନ୍ଧ୍ୟାରେ ବସିଥିବା ବୈଠକରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ। ରମେଶ କହିଛନ୍ତି, ୨ ମାସ ହେଲା ମଣିପୁର ଜଳୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିରବ। ଏମିତି ସ୍ଥିତିରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଇସ୍ତଫା ଦେବାକୁ ପାର୍ଟି ଦାବି କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ