Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଟର ପ୍ରଶ୍ନ ନାହିଁ, ବିଜେପି-ବିଜେଡି ପରସ୍ପର ବିରୋଧରେ ଲଢିବେ: ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସହ ମେଣ୍ଟର ପ୍ରଶ୍ନ ନାହିଁ। ଯେବେ ବି ଓଡ଼ିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ। ହର ଘର ତ୍ରିରଙ୍ଗା କାର‌୍ୟ୍ୟକ୍ରମରେ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ୨୩ ବର୍ଷର ବିଜେଡି ଶାସନରେ ଯେଉଁ ବିସଙ୍ଗତି ରହିଛି, ତାହା ଆମେ ପଦାକୁ ଆଣିବୁ। ଗୃହ ମନ୍ତ୍ରୀ ଅମିତ ଶାହ ଆସିଥିଲେ, ଏ ନେଇ ପ୍ରାଞ୍ଜଳ ଭାବେ କହିଛନ୍ତି ଯେ, ମେଣ୍ଟର ପ୍ରଶ୍ନ ନାହିଁ। ଏକଥା କେନ୍ଦ୍ର ମନ୍ତ୍ରୀମାନେ କହି ସାରିଛନ୍ତି। ନିର୍ବାଚନରେ ବିଜେପି ବିରୋଧରେ ବିଜେଡି ଏବଂ ବିଜେଡି ବିରୋଧରେ ବିଜେପି ନିର୍ବାଚନ ଲଢିବ।

ଆଗୁଆ ନିର୍ବାଚନ ସମ୍ଭାବନା ନେଇ ନିଜ ପ୍ରତିକ୍ରିୟାରେ ଅପରାଜିତା କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିନି, ନିର୍ବାଚନ କିପରି ହେବ। ପ୍ରସ୍ତାବ ଯାଇଛି କି ନାହିଁ, ହୁଏତ ଏହା କଳ୍ପନାଜଳ୍ପନା କରାଯାଇ ଥାଇପାରେ। ୫ ବର୍ଷ ପାଇଁ ଜନାଦେଶ ପାଇଛନ୍ତି ଏତେ ହଡ଼ବଡ଼ କାହିଁକି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ଏହା ପୂର୍ବରୁ ଗତକାଲି ଭୁବନେଶ୍ଵରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ, ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ। ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ଭଲ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।

ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ନିକଟରେ କହିଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭୁବନେଶ୍ଵରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ସେ କହିଛନ୍ତି, ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପି ଏକା ଲଢିବ। ବିଜେଡି ସହ କୌଣସି ମେଣ୍ଟ ହେବନି। ଏକା ଲଢି ରାଜ୍ୟରେ ସରକାର ଗଢିବୁ ବୋଲି ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ।

ରାଜ୍ୟରେ ପରସ୍ପରକୁ ବିରୋଧୀ କହୁଥିଲେ ହେଁ କେନ୍ଦ୍ରରେ ବିଜେପି ଓ ବିଜେଡିକୁ ଏକାଠି ଦେଖିବାକୁ ମିଳି ଆସିଛି। ସଂସଦର ଉଭୟ ଗୃହରେ ଏହି ଦୁଇ ଦଳର ସଂପର୍କ ବେଶ ନିବିଡ଼। ଅନେକ ପ୍ରସଙ୍ଗରେ ବିଜେପିକୁ ଖୋଲାଖୋଲି ସମର୍ଥନ କରି ଆସିଛି ବିଜୁ ଜନତା ଦଳ। ଆଉ କେନ୍ଦ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାରେ ସଙ୍କୋଚ କରି ନାହିଁ। ନିକଟରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଏହାର ନିଚ୍ଛକ ଚିତ୍ର ଦେଖିଛନ୍ତି ଓଡ଼ିଶାବାସୀ। ତେଣୁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଖୁବ୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ