Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ର ସଂସଦ ନିର୍ବାଚନ ନେଇ ତେଜିଲା ରାଜନୀତି, ଅତନୁଙ୍କ ବାସଭବନ ଉପରେ ଅଣ୍ଡାମାଡ଼

ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ରାଜ୍ୟ ସରକାରଙ୍କ ଏମିତି ନିଷ୍ପତ୍ତିକୁ ସବୁ ଛାତ୍ର ସଂଗଠନ ମହଲରୁ ତୀବ୍ର ନିନ୍ଦା କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି। ଏବେ ଅନେକ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଏମିତି ଦୃଶ୍ୟ ଗତକାଲି ରାଜଧାନୀରେ ଦେଖିବାକୁ ମିଳିଛି। ଛାତ୍ର କଂଗ୍ରେସଠୁ ନେଇ ଏବିଭିପି ଓ ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ନିଜର ମୋର୍ଚ୍ଚା ଖୋଲିଛନ୍ତି।

ଏଥର ବି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେବା ପରେ ପ୍ରତିବାଦର ସ୍ଵର ଜୋର ଧରିଛି। ଲଗାତାର ୬ ବର୍ଷ ଧରି ନିର୍ବାଚନ ବନ୍ଦ ହେବା ଦ୍ଵାରା ଛାତ୍ରସଂଗଠକଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷର ନିଆଁ ଗତକାଲି ରାଜରାସ୍ତାରେ ପ୍ରତିଫଳିତ ହୋଇଛି। ସମସ୍ତ ଛାତ୍ର ସଂଗଠନ ନିର୍ବାଚନ ନ କରାଯିବା ନିଷ୍ପତ୍ତି ବିରୋଧରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ସିଧାସଳଖ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ୍ କରିଛି ଛାତ୍ର କଂଗ୍ରେସ। ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି।

ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ ସମୟରେ ପୋଲିସ ସହ ଧସ୍ତାଧସ୍ତ ହୋଇଛି। ପ୍ରାୟ ୩୦ ମିନିଟ୍ ଧରି ଉତ୍ତେଜନା ସ୍ଥିତି ଲାଗି ରହିବା ପରେ ପୋଲିସ ଛାତ୍ର କଂଗ୍ରେସର ସଦସ୍ୟମାନଙ୍କୁ ଉଠାଇ ନେଇଥିଲା। ଅନ୍ୟପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଉତ୍କଳ ବିଶ୍ଵ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିରୋଧ ପ୍ରଦର୍ଶନ କରିଛି। କଳାପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଜଣାଇବାକୁ ଯିବା ସମୟରେ ପୋଲିସ ଅଟକାଇଥିଲା।

କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇର ରାଜ୍ୟ ସଭାପତି ୟାସିର ନବାଜ କହିଛନ୍ତି, ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ। ନଚେତ୍ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ। ଆଗାମୀ ଦିନରେ ରାଜ୍ୟର ସମସ୍ତ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯେଉଁଠାକୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଯିବେ, ସେଠାରେ ବିରୋଧ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ