Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଉଦଘାଟନ ହେବ ନେତାଜୀ ବସ୍ ଟର୍ମିନାଲ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ମୋକିମଙ୍କ ବର୍ଜନ

କଟକ: ଆଜି କଟକରେ ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରି ସାରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବେ ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ। କାର୍ଯ୍ୟକ୍ରମରେ ଯୋଗ ନ  ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସେ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି।

ମୋକିମ କହିଛନ୍ତି, ନେତାଜୀ ଟର୍ମିନାଲର କାମ ସରିନାହିଁ, ତଥାପି ତରବରିଆ ଭାବେ ଏହାର ଉଦଘାଟନ କରାଯାଉଛି। ବସ୍ ଟର୍ମିନାଲରେ ଓଡ଼ିଶା ତଥା କଟକବାସୀଙ୍କୁ ଅଣଦେଖା କରାଯାଉଛି। ଓଡ଼ିଆ ଠିକାଦାର, ଓଡ଼ିଶା ବ୍ୟବସାୟୀଙ୍କୁ ଅଣଦେଖା କରାଯାଇ ରାଜ୍ୟ ବାହାରର ଠିକାଦାର ପ୍ରତି ମୋହ ଦେଖାଉଛନ୍ତି ରାଜ୍ୟ ସରକାର। ତେଣୁ କଟକିଆଙ୍କ ସ୍ଵାର୍ଥ ପାଇଁ କାର୍ଯ୍ୟକ୍ରମ ବର୍ଜନ କରିବାକୁ ମୁଁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକକୁ ୫୪୧ କୋଟି ଟଙ୍କାର ପୂଜା ଭେଟି ଦେବେ । ଅପ‍ରାହ୍ନ ସାଢେ ଚାରିଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ପହଞ୍ଚି ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ଉଦଘାଟନ କରିବେ। ଏଥିସହିତ ଏକାକାଳୀନ ୧୩ ଟି ବୃହତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ୧୬ ଏକର ଜାଗାରେ ଏହି ବସ ଟର୍ମିନାଲ ନିର୍ମାଣ କରାଯାଇଛି। କଟକ ଖାନନଗର ନିକଟରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ଏକକାଳୀନ ୧୯୧ ଟି ବସ ରହିପାରିବ । ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ, ସପିଂମଲ , ଟ୍ୟାକ୍ସି ଏବଂ ଅଟୋରିକ୍ସା ରହଣି ସ୍ଥଳ ସହିତ ହାଇଟେକ୍ ଭୋଜନାଳୟର ମଧ୍ୟ ସୁବିଧା ଏଠାରେ ଉପଲବ୍ଧ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ