Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ଭାବେ ବିଧିବଦ୍ଧ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏଥିସହ ବିଧାନସଭାକୁ ମିଳିଛି ପ୍ରଥମ ମହିଳା ବାଚସ୍ପତି। ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସଂପନ୍ନ ହୋଇଛି ଏବଂ ପ୍ରମିଳା ଦାୟିତ୍ଵ ଗ୍ରହଣ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଗତକାଲି ବିଞ୍ଝାରପୁର ବିଧାୟିକା ପ୍ରମିଳା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହା ପୂର୍ବରୁ ନିଦ୍ଵର୍ନ୍ଦ୍ଵରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରମିଳା ରାଜସ୍ଵ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ପ୍ରମିଳା ବର୍ତ୍ତମାନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଅଛନ୍ତି। ସେ ଏହି ଆସନରୁ ଲଗାତାର ୬ ଥର ନିର୍ବାଚିତ ହୋଇ ଆସିଛନ୍ତି। ୧୯୯୦ରେ ଜନତା ଦଳ ପକ୍ଷରୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବେଳେ ୨୦୦୦ ମସିହା ପରଠୁ ବିଜେଡି ପକ୍ଷରୁ ଲଗାତାର ଏହି ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ସେ ନବୀନଙ୍କ କ୍ୟାବିନେଟରେ ଅନେକ ବିଭାଗ ସମ୍ଭାଳିଛନ୍ତି।

ବାଚସ୍ପତି ପଦ ପାଇଁ ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ ଘୋଷଣା ପରେ ପ୍ରମିଳା ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ମୁଁ ସବୁ ଦଳକୁ ନେଇ ନିରପେକ୍ଷ ଭାବେ ଗୃହ ଚଳାଇଛି।

ସୂଚନାଯୋଗ୍ୟ, ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଥିଲା। ପରବର୍ତ୍ତ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଚଳିତ ବର୍ଷ ମେ ୧୨ ତାରିଖରେ ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ରାଜ୍ୟ ସରକାର ତାଙ୍କୁ ଅର୍ଥ ମନ୍ତ୍ରୀ ଦାୟିତ୍ଵ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ