ଅଧିନାୟକ ଧୋନୀ ଆହତ, ବଢିଲା ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍କିଲ


ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୩ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଚାରୋଟି ମ୍ୟାଚରୁ ଦ୍ଵିତୀୟ ପରାଜୟ ଭୋଗିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇକୁ ୩ ରନରେ ହରଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ପରାଜୟ ସହ ଚେନ୍ନାଇ ପାଇଁ ଆଉ ଏକ ନିରାଶଜନକ ଖବର ଆସିଛି। ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଦ୍ରୁତ ବୋଲର ସିସାଣ୍ଡା ମଗାଲା ଆହତ ହୋଇଛନ୍ତି। ଏହାର ସୂଚନା ଦେଇଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ। ସେ କହିଛନ୍ତି ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୋନୀ ଆହତ ହେବା ଚେନ୍ନାଇକୁ ବଡ ଚିନ୍ତାରେ ପକାଇପାରେ।

ଫ୍ଲେମିଂ କହିଛନ୍ତି, ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଧୋନୀଙ୍କୁ ଖୋଲି କି ଖେଳିବାରେ ସମସ୍ୟା ହେଉଛି। ତାଙ୍କର ଫିଟନେସ୍ ସର୍ବଦା ପେଶାଦାର ଖେଳାଳିଙ୍କ ପରି ରହି ଆସିଛି। ସେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଅନେକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି। ସେ ରାଞ୍ଚିରେ ନେଟ୍ ଅଭ୍ୟାସ୍ ବି କରିଥିଲେ। ଆଇପିଏଲ ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ଧୋନୀ ଚେନ୍ନାଇରେ ପହଞ୍ଚି ଅଭ୍ୟାସ ବି କରିଥିଲେ। ତେବେ ତାଙ୍କର ଆହତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇ ନାହିଁ।

ଉଲ୍ଲେଖନୀୟ ଚେନ୍ନାଇରେ ଆହତ ଖେଳାଳିଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆହତ କାରଣରୁ ମ୍ୟାଚ୍ ଖେଳି ପାରି ନାହାନ୍ତି। ପୁଣି ଦ୍ରୁତ ବୋଲର ଦୀପକ ଚହର ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଆଇପିଏଲ୍ ୨୦୨୩ରୁ ଆପାତଃ ବାଦ୍ ପଡିଛନ୍ତି। ଚେନ୍ନାଇରେ ଖେଳାଳିଙ୍କ ଆହତଜନିତ ସମସ୍ୟା ଦଳର ରଣନୀତିକୁ ଗୁରୁତର ପ୍ରଭାବିତ କରିଛି।