ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନିଜ ନିଜ ଦେଶକୁ ବିଦା କରାଯାଉଛି । ଏହି କ୍ରମରେ ୨୦୫ ଜଣ ଅେବୖଧ ଭାରତୀୟ ପ୍ରବାସୀଙ୍କୁ ଆମେରିକାର ମିଲେଟାରୀ ପ୍ଲେନ ଭାରତ ନେଇ କି ଆସୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆମେରିକୀୟ C-147 ବିମାନ ଯୋଗେ ଏହି ଅବୈଧ ଭାରତୀୟ ପ୍ରବାସୀ ଆସୁଛନ୍ତି । ଏହି ବିମାନଟି ପ୍ରାୟ ୬ଘଣ୍ଟା ପୂର୍ବରୁ ଆମେରିକାର ସାନ୍ ଆଣ୍ଟୋନିଓରୁ ଉଡାଣ ଭରିଥିଲା । ବିମାନରେ ସମସ୍ତ ଭାରତୀୟଙ୍କୁ ଚିହ୍ନଟ କରାଯାଇ ଭାରତ ଫେରାଇ ଅଣାଯାଉଛି । ଏହି ବିମାନଟି ଅମୃତସରରେ ଅବତରଣ କରିପାରେ ବୋଲି ସୂଚନା ରହିଛି । ଅନ୍ୟପଟେ ବିମାନଟି ଇନ୍ଧନ ଭର୍ତ୍ତି ପାଇଁ ଜର୍ମାନୀରେ କିଛି ସମୟ ଅଟକିପାରେ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ପ୍ରଶାସନ ଏହା ପୂର୍ବରୁ ଗ୍ୱାଟେମାଲା, ପେରୁ ଏବଂ ହୋଣ୍ଡୁରାସରୁ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲା । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ, ଟେକ୍ସାସର ଅଲପାସୋ ଏବଂ କାର୍ଲିଫର୍ଣ୍ଣିଆର ସେନାଙ୍କ ହେପାଜତରେ ଥିବା ୫୦୦୦ରୁ ଊର୍ଦ୍ଧ୍ୱ ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଆରମ୍ଭ କରିଦେଇଛନ୍ତି ।