Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧରମୈୟା ନା ଶିବକୁମାର ? କଂଗ୍ରେସ ପାଇଁ ସହଜ ନୁହେଁ ମୁଖ୍ୟମନ୍ତ୍ରୀ ଚୟନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦ କାହାକୁ ଦିଆଯିବ, ଏ ପ୍ରସଙ୍ଗରେ ବିଚାର ବିମର୍ଶ ପାଇଁ କଂଗ୍ରେସ ଆଜି ସନ୍ଧ୍ୟାରେ ନୂତନ ବିଧାୟକଙ୍କ ବୈଠକ ଡକାଇଛି। ଏହାର ସୂଚନା ଖୋଦ୍ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଦେଇଛନ୍ତି। ସନ୍ଧ୍ୟା ୬ଟାରେ ବେଙ୍ଗାଲୁରୁର ଶାଙ୍ଗରୀ ଲା ହୋଟେଲରେ ଏହି ବୈଠକ ବସିବ। ଏଥିରେ କଂଗ୍ରେସ ବିଧାୟକଙ୍କ ଦ୍ଵାରା ଏକ ପ୍ରସ୍ତାବ ଗୃହୀତ ହେବାର ଆଶା କରାଯାଉଛି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ଅନୁରୋଧ କରାଯାଇପାରେ। ହେଲେ ମଲ୍ଲିକାର୍ଜୁନ ଖଡଗେ କିମ୍ବା ସୋନିଆ ଗାନ୍ଧୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିବା ସହଜ ହେବ ନାହିଁ। କାରଣ ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ମହତ୍ଵାକାଂକ୍ଷା ବ୍ୟକ୍ତ କରି ସାରିଛନ୍ତି।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗତକାଲି ସନ୍ଧ୍ୟାରେ ଏହି ଦୁଇ ନେତାଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ବିଜୟକୁ କର୍ଣ୍ଣାଟକବାସୀଙ୍କୁ ସମର୍ପିତ କରିଥିଲେ। ତେବେ ଦଳରେ ଆଭ୍ୟନ୍ତରୀଣ କନ୍ଦଳର ସ୍ଵର ସେହି ସମୟର ଶୁଣିବାକୁ ମିଳିଲା, ଯେତେବେଳେ ଡିକେ ଶିବକୁମାର ସିଦ୍ଧରମୈୟାଙ୍କ ପୁଅଙ୍କ ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କଲେ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବ ତାହା ହାଇକମାଣ୍ଡ ସ୍ଥିର କରିବେ। ଉଲ୍ଲେଖନୀୟ ସିଦ୍ଧରମୈୟାଙ୍କ ପୁଅ ପ୍ରାରମ୍ଭିକ ନିର୍ବାଚନୀ ଫଳାଫଳ ଆସିବା ପରେ ବାପା ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ।

ଶିବକୁମାର ଗତକାଲି ଗାନ୍ଧୀ ପରିବାରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବା କଥା କହି କାନ୍ଦି ପକାଇଥିଲେ। ସେ କହିଛନ୍ତି, ଯେବେଠୁ ସେ ପ୍ରତିଶ୍ରୁତି ଦେଇଛନ୍ତି, ସେ ୩ ବର୍ଷ ହେଲା ଠିକରେ ଶୋଇ ନାହାନ୍ତି। ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଆଶ୍ଵାସନ ଦେଇଥିଲି ଯେ, କର୍ଣ୍ଣାଟକ ବଞ୍ଚାଇ ଦେବି। ସୋନିଆ ଗାନ୍ଧୀ ମୋତେ ଭେଟିବାକୁ ଜେଲ୍ ଆସିବାର ସେହି ମୁହୂର୍ତ୍ତଙ୍କୁ ମୁଁ କଦାପି ଭୁଲି ପାରିବି ନାହିଁ। ମୁଖ୍ୟମନ୍ତ୍ରୀ କିଏ ହେବ ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କଂଗ୍ରେସ କାର୍ଯ୍ୟାଳୟ ଆମ ମନ୍ଦିର। ଆମେ ନିଜର ପରବର୍ତ୍ତୀ ପଦକ୍ଷେପ କଂଗ୍ରେସ କାର୍ଯ୍ୟାଳୟରେ ସ୍ଥିର କରିବୁ।

ସୂଚନାଯୋଗ୍ୟ, ଶିବକୁମାର ପ୍ରାରମ୍ଭିକ ଦିନଠୁ କଂଗ୍ରେସ ସହ ଅଛନ୍ତି। ସେ ୧୯୮୯ରେ ପ୍ରଥମ ନିର୍ବାଚନ ଜିତିଥିଲେ। ଏହା ପରଠୁ ସେ ପରାଜୟର ସାମ୍ନା କରି ନାହାନ୍ତି। ରବିବାର ସକାଳେ ତାଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିବା ସହ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ଅନ୍ୟପଟେ ୭୫ ବର୍ଷୀୟ ସିଦ୍ଧରମୈୟା ବାରମ୍ବାର କହି ଚାଲିଛନ୍ତି ଯେ, ଏହା ତଙ୍କର ଶେଷ ନିର୍ବାଚନ ଲଢେଇ। ସେ ଆଶା ରଖିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚୟନ କରିବା ସମୟରେ ଏହା ଉପରେ ବିଚାର କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ