Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ସୃଷ୍ଟି କରିବା ଓ ଉଜୁଡିଯାଇଥିବା ଜଙ୍ଗଲକୁ ସବୁଜିମା ରେ ପରିବର୍ତ୍ତନ କରିବାକୁ ଜନଜାତି ସମ୍ପ୍ରଦାୟର ମହିଳା ମାନେ ଅଣ୍ଟା ଭିଡ଼ିଲେ

ବାଲିଗୁଡା, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଗାଁରେ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନ ବୃଦ୍ଧି ପାଉଛି। ଗାଁ ଗାଁରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ଜଙ୍ଗଲ ଉଜୁଡିଲେ ତା’ର କୁପ୍ରଭାବ କିଭଳି ପଡୁଛି ତାହା ଲୋକ ବୁଝିଗଲେଣି। ତେଣୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଓ ଉଜୁଡିଯାଇଥିବା ଜଙ୍ଗଲକୁ ପୁଣି ସବୁଜିମାରେ ପରିବର୍ତ୍ତନ କରିବାକୁ ଜନଜାତି ସମ୍ପ୍ରଦାୟର ମହିଳାମାନେ ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ବୃକ୍ଷରୋପଣ କରାଯିବା ସହ ସିଡ୍‌ ବଲ୍‌ ପ୍ରସ୍ତୁତ କରି ତାକୁ ଲଣ୍ଡା ପାହାଡ଼ ସମେତ ଉଜୁଡିଯାଇଥିବା ଜଙ୍ଗଲରେ ପକାଯାଇ ଜଙ୍ଗଲର ପୁନଃରୁଦ୍ଧାର କରାଯାଉଛି। ଏହି ସିଡ୍‌ ବଲ୍‌ ପ୍ରସ୍ତୁତିରେ ଜୈବିକ ପଦ୍ଧତିରେ ତଥା ମାଟି ଏବଂ କମ୍ପୋଷ୍ଟ ସହିତ ପ୍ରସ୍ତୁତ କରାଯାଉଛି। ଏହି ସିଡ୍‌ ବଲ୍‌ ଜଙ୍ଗଲ ସଂରକ୍ଷଣ ଏବଂ ପୁନଃବନୀକରଣ ପାଇଁ ଏକ ସରଳ କିନ୍ତୁ ପ୍ରଭାବଶାଳୀ ବୋଲି ସ୍ଥାନୀୟ ଜନଜାତି ମହିଳାମାନେ ମତ ପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସିଡ୍‌ ବଲ୍‌ଗୁଡିକ ଖରାପ ଜଳବାୟୁରୁ ବିହନକୁ ସୁରକ୍ଷା ଦେବା ସହ ପରିବେଶରେ ବଲ୍‌ଗୁଡ଼ିକ ବିଛାଡ଼ି ପକାଇଲେ ସେଗୁଡ଼ିକର ଅଙ୍କୁରୀକରଣ ଏବଂ ବଞ୍ଚିବାର ସମ୍ଭାବନାକୁ ବୃଦ୍ଧି ହୋଇଥାଏ। ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ ହ୍ରାସ ଏବଂ ସ୍ଥାୟୀ ଜୀବିକା ନିର୍ବାହରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ଅଞ୍ଚଳ ପାଇଁ ଜଙ୍ଗଲ ପୁନରୁତ୍ଥାନ ଏବଂ ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଜନଜାତି ମହିଳାମାନେ ଏହାକୁ ବହୁ ପରିଶ୍ରମ କରି କାର୍ଯ୍ୟ କରୁଥିବା କହିଛନ୍ତି। ଏହା ଜଙ୍ଗଲ ସୃଷ୍ଟି ହେଲେ ଜଙ୍ଗଲ କାର୍ବନ ସଂରକ୍ଷଣ ସମେତ ଅତ୍ୟାବଶ୍ୟକ ଇକୋସିଷ୍ଟମ୍‌ ସେବା ପ୍ରଦାନ କରିବ। ତେଣୁ ଉକ୍ତ ବ୍ଲକର ଦନେକବାଡ଼ି, ସୋନପୁର ଏବଂ ବାଡ଼ାବାଙ୍ଗା ପଞ୍ଚାୟତର ଜନଜାତି ସମ୍ପ୍ରଦାୟ ପକ୍ଷରୁ ବନ ସମ୍ପଦ ପରିଚାଳନା କମିଟିର ମହିଳାମାନେ ସିଡ୍‌ ବଲ୍‌ ପ୍ରସ୍ତୁତି ଏବଂ ରୋପଣ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ