ଶ୍ରମିକ ଯଶୋବନ୍ତ ନିଖୋଜ: ଅଗ୍ନିଶମ ବିଭାଗ ଓ ପୋଲିସ ର ଅନୁଧ୍ୟାନ ଜାରୀ


ବାଲିଗୁଡା, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର ଜଣେ ବ୍ୟକ୍ତି ସୋମବାର ସକାଳ ଠାରୁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଯଶୋବନ୍ତ ନାୟକ (୫୦) ବୋଲି ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କ ପୋଷାକ, ଚପଲ, ଟାୱେଲ ଆଦି ସିମନବାଡି-ରାଇକିଆ ରାସ୍ତାର ସିମନବାଡି ପୋଖରୀ ହୁଡାରେ ରହିଥିବାରୁ ସେ ପୋଖରୀରେ ବୁଡ଼ିଯାଇଥିବା ଆଶଙ୍କା କରି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ପୋଖରୀରେ ଖୋଜାଖୋଜି କରୁଛନ୍ତି । ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲା ଖୋଜିବା କାର୍ଯ୍ୟ ଜାରିରହିଛି । ଖବର ଲେଖିବା ସୁଦ୍ଧା କୌଣସି ପତ୍ତା ମିଳିନାହିଁ। ସୂଚନାଯୋଗ୍ୟ ଯେ, ଯଶୋବନ୍ତ ସିମନବାଡି ବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ପ୍ରତିଦିନ ଭଳି ସେ ସୋମବାର ଭୋର ୪ଟା ରେ ଘରୁ ବଜାରକୁ ଆସିଥିଲେ । ମଧ୍ୟାହ୍ନରେ ଘରକୁ ଖାଇବାକୁ ଯାଇନଥିଲେ । ଫଳରେ ତାଙ୍କ ପୁଅ ଆଦି ଓ ସ୍ତ୍ରୀ ଖୋଜାଖୋଜି କରିଥିଲେ । କିଛି ଲୋକଙ୍କ ଠାରୁ ପୋଖରୀ ହୁଡାରେ ଲୁଗା, ଚପଲ ଆଦି ବହୁ ସମୟ ହେଲା ରହିଥିବା ଖବରପାଇ ପୋଖରୀକୁ ଆସି ପରିବାର ଲୋକ ଉକ୍ତ ଲୁଗାପଟା ଓ ଚପଲ ଯୋଶବନ୍ତଙ୍କ ହୋଇଥିବା ଜାଣିବା ପରେ ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହ ବୃଦ୍ଧି ପାଇଛି। ଖବର ଲେଖିବା ସୁଦ୍ଧା ପୋଖରୀରେ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛନ୍ତି ରାତିର ଅନ୍ଧାର ଯୋଗୁ ଖୋଜିବା ମୁସ୍କିଲ ହେଉଥିବା କୁହାଯାଉଛି । ଖବରପାଇ ଦାରିଙ୍ଗବାଡି ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଓ ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି।