Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଉପରେ ପ୍ରତିଶୋଧ ନେଉଛି ପାକ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିବା କ୍ଷତିର ଆକଳନ ହେବା ପରେ ବର୍ତ୍ତମାନ୍ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛି।

ପାକିସ୍ତାନ, ଭାରତୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ମୌଳିକ ଆବଶ୍ୟକତା ଗୁଡ଼ିକ ବନ୍ଦ କରିଦେବା ସହ ପାଣି, ଏଲପିଜି ଏବଂ ଖବରକାଗଜ ଇତ୍ୟାଦି ଯୋଗାଣ ବନ୍ଦ କରିଦେଇଛି।ତେବେ ପାକିସ୍ତାନର ଏପରି କାର୍ଯ୍ୟକୁ ଭିଏନା ଚୁକ୍ତିର ଘୋର ଉଲ୍ଲଂଘନ ବୋଲି କୁହାଯାଉଛି। ଭାରତୀୟ ସେନା ଦ୍ଵାରା ଅପରେସନ ସିନ୍ଦୂରର ସଫଳତା ଏବଂ ମୋଦି ସରକାରଙ୍କ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାପରେ ପାକିସ୍ତାନ ଏପରି ନିଷ୍ପତି ନେଇଥିବା ରିପୋର୍ଟରୁ ଜଣାପଡ଼ିଛି। ଇସଲାମାବାଦରେ ଭାରତୀୟ କୂଟନୀତିଜ୍ଞଙ୍କ ଜୀବନ ଏବଂ କାର୍ଯ୍ୟ ଅବସ୍ଥାକୁ ନଷ୍ଟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ରିପୋର୍ଟ ରୁ ଜଣାପଡ଼ିଛି।

ସୁଇ ନର୍ଦର୍ଣ୍ଣ ଗ୍ୟାସ ପାଇପଲାଇନ୍ସ ଲିମିଟେଡ୍ (SNGPL) ଇସଲାମାବାଦରେ ଭାରତୀୟ ହାଇକମିଶନ ପରିସରରେ ପାଇପଲାଇନ୍ ଗ୍ୟାସ ଯୋଗାଣ କରେ। ତେବେ ବର୍ତ୍ତମାନ୍ ଏହାକୁ ଜାଣିଶୁଣି ବନ୍ଦ କରିଦିଆଯାଇଛି। ଏଥିସହିତ ସ୍ଥାନୀୟ ଏଲପିଜି ସିଲିଣ୍ଡର ବିକ୍ରେତାମାନଙ୍କୁ ମଧ୍ୟ ପାକିସ୍ତାନୀ ଅଧିକାରୀମାନେ ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ବିକ୍ରି ନ କରିବାକୁ ଧମକ ଦେଇଛନ୍ତି। ଯାହାଫଳରେ ସେମାନଙ୍କୁ ବର୍ତ୍ତମାନ୍ ଖୋଲା ବଜାରରୁ ଏହି ସବୁ ସାମଗ୍ରୀ କିଣିବାକୁ ପଡୁଛି ଓ ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଛି।

କେବଳ ଏତିକି ନୁହେଁ ସେମାନଙ୍କୁ ସଫା ଏବଂ ଫିଲ୍ଟର ପାଣି ଯୋଗାଉଥିବା ବିକ୍ରେତାଙ୍କୁ ଡେଲିଭରି କରିବାକୁ ମନା କରିଦିଆଯାଇଛି। ଏଥିସହ ସେଠାରେ ମିନେରାଲ ୱାଟର ଯୋଗାଣ ନ କରିବାକୁ ମଧ୍ୟ ଧମକ ଦିଆଯାଇଛି। ଯାହାଫଳରେ ସେଠାରେ ଭାରତୀୟ କର୍ମଚାରୀମାନେ ବର୍ତ୍ତମାନ୍ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ସେଠାରେ ମିଳୁଥିବା ସାଧାରଣ ପାଣି ପିଇବା ଏବଂ ରୋଷେଇ ପାଇଁ ଉପଯୁକ୍ତ ନୁହେଁ। ଏପରିକି ସେ ପାଣି ବିନା ଫିଲ୍ଟରିଂ ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ।ପାକିସ୍ତାନ ଇସଲାମାବାଦରେ ଭାରତୀୟ ହାଇକମିଶନକୁ ସ୍ଥାନୀୟ ଖବରକାଗଜ ଯୋଗାଣ ବନ୍ଦ କରିଦେବା ସହ ଖବରକାଗଜ ବିକ୍ରେତାଙ୍କୁ ହାଇକମିଶନକୁ ନ ଆସିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ