Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଆଡେ ଗଲେ ଜଗଦୀପ ଧନଖର?

ନୂଆଦିଲ୍ଲୀ: ଜଗଦୀପ ଧନଖର ଇସ୍ତଫା ଦେବା ଦିନଠାରୁ ତାଙ୍କର କୌଣସି ସନ୍ଧାନ ନାହିଁ। ଫୋନ କିମ୍ବା ତାଙ୍କ କର୍ମଚାରୀ ଙ୍କ ସୂତ୍ରରୁ ମଧ୍ୟ କୌଣସି ଖବର ମିଳିପାରୁନଥିବା ନେଇ ଉଦ୍ଧବ ଗୋଷ୍ଠୀ ଶିବସେନା (UBT) ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅଗଷ୍ଟ ୧୦ରେ ଏକ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫା ଦେବା ଓ ସେବେଠାରୁ ନିଖୋଜ ହେବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ସେ କହିଥିଲେ ଯେ ୨୧ ଜୁଲାଇରେ ଜଗଦୀପ ଧନଖର ରାଜ୍ୟସଭାର କାର୍ଯ୍ୟ ସ୍ୱାଭାବିକ ଭାବରେ ପରିଚାଳନା କରିବା ସହ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ। କିନ୍ତୁ ସେହିଦିନ ସନ୍ଧ୍ୟାରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ଏବଂ ସେବେଠାରୁ ଜଗଦୀପ ଧନଖରଙ୍କ ସ୍ୱାସ୍ଥ୍ୟ କିମ୍ବା ତାଙ୍କ ସ୍ଥାନ ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନଥିବାରୁ ସେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସଞ୍ଜୟ ଏହା ମଧ୍ୟ କହିଥିଲେ ଯେ ଅନେକ ସାଂସଦ ଜଗଦିପଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ବିଫଳ ହୋଇଥିଲେ। ତେବେ ଜଗଦୀପ ଧନଖରଙ୍କୁ ଗୃହବନ୍ଦୀ କରାଯାଇ ରଖାଯାଇଛି ଓ ସେ ଅସୁରକ୍ଷିତ ଥିବା ଖବର ଚାରିଆଡେ ବ୍ୟାପିଥିବା ସଞ୍ଜୟ କହିଥିଲେ।

କିଛି ରାଜ୍ୟସଭା ସଦସ୍ୟ ଜଗଦୀପ ଧନଖରଙ୍କ ବିଷୟରେ ଜାଣିବା ପାଇଁ ସୁପ୍ରିମକୋର୍ଟରେ ଏକ ହେବିୟସ୍ କର୍ପସ୍ ଆବେଦନ ଦାଖଲ କରିବାକୁ ବିଚାର କରୁଥିବା ସଞ୍ଜୟ କହିଛନ୍ତି। ତେବେ କୌଣସି ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଗୃହମନ୍ତ୍ରୀଙ୍କଠାରୁ ସରକାରୀ ସୂଚନା ଦାବି କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ