Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁକ୍ରେନ ଡୋନେଟ୍ସ୍କ ଛାଡ଼ିଦେଲେ ଯୁଦ୍ଧ ବନ୍ଦ ହେବ!

ନୂଆଦିଲ୍ଲୀ: ଗତ ୩ ବର୍ଷ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଅନେକ ଚେଷ୍ଟା ଚାଲିଛି। ଏହା ମଧ୍ୟରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଥିଲେ ଯେ ଯଦି ୟୁକ୍ରେନ ଡୋନେଟ୍ସ୍କ ଅଞ୍ଚଳରୁ ନିଜର ସେନା ପ୍ରତ୍ୟାହାର କରିବ ତାହେଲେ ଯୁଦ୍ଧ ବନ୍ଦ ହୋଇପାରିବ।

ଏହାକୁ ନେଇ ଟ୍ରମ୍ପ୍ ଫୋନ୍ ମାଧ୍ୟମରେ ଜେଲେନ୍ସକିଙ୍କ ସହ ବାର୍ତ୍ତାଳାପ କରିଥିଲେ। ତେବେ ପୁତିନଙ୍କ ଏହି ପ୍ରସ୍ତାବକୁ ଜେଲେନ୍ସକି ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ୟୁକ୍ରେନ ଏହାର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ସହିତ ସାଲିସ କରିବ ନାହିଁ। ତେବେ ଡୋନେଟ୍ସ୍କ ୟୁକ୍ରେନର ଚାରୋଟି ପୂର୍ବ ପ୍ରଦେଶ ମଧ୍ୟରୁ ଗୋଟିଏ ଅଟେ। ସେଠାରେ ରୁଷିଆ  ଲୋକମାନେ ବହୁ ସଂଖ୍ୟାରେ ବାସ କରିଆସୁଛନ୍ତି। ୨୦୧୪ ମସିହାରୁ ରୁଷିଆ ଏହି ଅଞ୍ଚଳକୁ ଦଖଲ କରି ଆସିଛି ଯାହାକି  ୟୁକ୍ରେନର ନିୟନ୍ତ୍ରଣ ବାହାରେ।

ଆଶ୍ଚର୍ଯ୍ୟର କଥା ଯେ ରୁଷିଆ ୟୁକ୍ରେନର ୨୦ ପ୍ରତିଶତ ଅଞ୍ଚଳକୁ ବର୍ତ୍ତମାନ୍ ସୁଦ୍ଧା ଦଖଲ କରିସାରିଛି। ତେଣୁ  ୟୁକ୍ରେନୀୟ ସେନା ଏହି ଅଞ୍ଚଳ ଗୁଡ଼ିକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଆଲାସ୍କାରେ ପୁତିନଙ୍କ ସହ ଶିଖର ସମ୍ମିଳନୀ ପରେ ଟ୍ରମ୍ପ ପ୍ରମୁଖ ୟୁରୋପୀୟ ଦେଶଗୁଡ଼ିକର ନେତା ଏବଂ ଜେଲେନ୍ସକିଙ୍କୁ ଡାକି ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ୟୁକ୍ରେନ ରକ୍ତପାତ ବନ୍ଦ କରି ଏକ ଶାନ୍ତି ଚୁକ୍ତିରେ ରାଜି ହେବା ଉଚିତ କାରଣ ରୁଷିଆ, ୟୁକ୍ରେନ ତୁଳନାରେ ଏକ ଶକ୍ତିଶାଳୀ ଦେଶ।

କିନ୍ତୁ  ୟୁକ୍ରେନ ଏବଂ ୟୁରୋପୀୟ ଦେଶଗୁଡ଼ିକ ଏହି ଦାବିରେ ସହମତ ନଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହି ପ୍ରସଙ୍ଗକୁ ନେଇ ସୋମବାର ଟ୍ରମ୍ପ ଏବଂ ଜେଲେନ୍ସକିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରମ୍ପ ଏହି ବୈଠକରେ ଯୋଗଦେବାକୁ ଅନେକ ୟୁରୋପୀୟ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ତେବେ ୟୁକ୍ରେନ୍ ନିଜ ଭୂମିକୁ ରକ୍ଷା କରିପାରିବ କି ତାକୁ ସବୁଦିନ ପାଇଁ ଏହାର ଏକ ବଡ଼ ଅଂଶ ହରାଇବାକୁ ପଡିବ ତାହା ବୈଠକ ପରେ ହିଁ ଜଣା ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories