ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ଦୁର୍ଘଟଣା: ୨୦ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନ ଯୋଧପୁର ରାଜପଥରେ ଏକ ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇପଡ଼ିଛନ୍ତି। ଘରୋଇ ବସରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯିବାରୁ ବସ୍ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ବସ୍ ରେ ୫୭ ଜଣ ଯାତ୍ରୀ ଥିବା ବେଳେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି। ଅନେକ ଆହତଙ୍କ ଅବସ୍ଥା ଏବେବି ଗୁରୁତର ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଅନୁମାନ କରାଯାଉଛି।
ବସ୍ ଟି ଜୈସଲମେରରୁ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ବସର ପଛଭାଗରେ ହଠାତ ନିଆଁ ଲାଗିଯିବାରୁ ବସ୍ ଟି କିଛି ସମୟ ଭିତରେ ପୁରା ଜଳି ଯାଇଥିଲା। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଯଦିଓ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଯୋଧପୁର ଫରେନକ୍ସି ଦଳ ଆସି ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି | ଦୁର୍ଘଟଣା ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଯାତ୍ରୀ ମାନେ ବିକଳ ହୋଇ ବସ୍ ର କବାଟ ଏବଂ ଝରକା ବାଟେ ବାହାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରିନଥିଲେ। ଖବର ପାଇ ଆଖପାଖର ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ନିକଟରେ ସେନା କ୍ୟାମ୍ପ ଥିବାରୁ ତୁରନ୍ତ ସେନା ଉଦ୍ଧର କାର୍ଯ୍ୟରେ ନିୟୋଜିତ ହୋଇଥିଲା। ପ୍ରଥମେ ସେନା ହସ୍ପିଟାଲରେ ଆହତ ମାନଙ୍କୁ ଚିକିତ୍ସା କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜବାହାର ନେହେରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଅଗ୍ନିଶମ ବାହିନୀର ଅଧିକାରୀ କୃଷ୍ଣପାଲ୍ ସିଂହ ରାଠୋର କହିଛନ୍ତି, ଅଗ୍ନି ନିର୍ଵାପକ ଦଳ ସେଠି ପହଂଚିବା ପୂର୍ବରୁ ବସଟି ପୁରା ଜଳି ଯାଇଥିଲା। ସୂଚନା ଅନୁସାରେ ୧୬ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ପଠାଯାଇଛି।ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି। ପ୍ରଧାମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।