ଭାରତୀୟ ମହିଳା ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ; ଦିଲ୍ଲୀ ସ୍ଥିତ ବାସଭବନରେ ହେବ ସାକ୍ଷାତ
ନୂଆଦିଲ୍ଲୀ;୦୫|୧୧: ଇତିହାସ ରଚିଥିବା ମହିଳା କ୍ରିକେଟ୍ ଟିମକୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମଥର ପାଇଁ ମହିଳା ଦିନିକିଆ ବିଶ୍ବକପ୍ରେ ବିଜୟ ହାସଲ କରି ଇତିହାସ ରଚିଛି ଭାରତ । ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ବିଶ୍ବ ଚମ୍ପିଆନ୍ ହୋଇଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ବକପ୍ ଟ୍ରଫି ହାତେଇଛି । ଏହି ବିଜୟ ସହ ୫୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ବକପ୍ ନିଜ ନାମରେ କରିଛି । ଦିନିକିଆ ମହିଳା ବିଶ୍ବକପ୍ରେ ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ, ପ୍ରଧାନମନ୍ତ୍ରୀ ମୋଦି ଆଜି ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଭାରତୀୟ ମହିଳା ଦଳକୁ ଭେଟିବେ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ମହିଳା ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ଅଭିଜ୍ଞତା ମଧ୍ୟ ଶୁଣିବେ | ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ମହିଳା ଖେଳାଳିମାନଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ପ୍ରମାଣିତ ହେବ | ମହିଳା ଦଳର ଉତ୍କୃଷ୍ଟ ପ୍ରଦର୍ଶନ ସାରା ଦେଶରେ ଗର୍ବ ଏବଂ ଉତ୍ସବର ପରିବେଶ ସୃଷ୍ଟି କରିଥିଲା । ଭାରତୀୟ ମହିଳା ଦଳ ଏବେ ସବୁଆଡୁ ପ୍ରଶଂସା ପାଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମହିଳା ଦଳ ପାଇଁ ୫୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିସାରିଛି ।
ମହିଳା ଦଳର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ସ୍ୱତନ୍ତ୍ର ପୋଷ୍ଟ କରିଥିଲେ | ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ, “ଭାରତୀୟ ଦଳ ICC ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ର ଫାଇନାଲରେ ଏକ ଦମଦାର ବିଜୟ ହାସଲ କରିଛି। ଖେଳାଳୀମାନେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ଏହି ଖେଳ ଗ୍ରହଣ କରିବାକୁ ଏବଂ ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା ଦେବ । ଟିମ୍ ଇଣ୍ଡିଆକୁ ଅନେକ ଅଭିନନ୍ଦନ।”

