Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା; ପାଇଲଟଙ୍କ ପିତାଙ୍କୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭|୧୧: ଚଳିତ ବର୍ଷ ଜୁନ୍ ମାସ ୧୨ ତାରିଖରେ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା | କିନ୍ତୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ହିଁ ବିମାନଟି ଏକ ମେଡିକାଲ କଲେଜରେ ଯାଇ ମାଡ ହୋଇଥିଲା | ଫଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା | ଦୁର୍ଘଟଣାରେ ପାଇଲଟ୍, କ୍ରୁ ସଦସ୍ୟ ସମେତ ୨୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୌଭାଗ୍ୟବଶତଃ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ଘଟଣାରେ ମେଡିକାଲ କଲେଜର ଛାତ୍ର ମଧ୍ୟ ମୃତ୍ୟୁବରଣ କରିଥିଲେ | ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ଦୁର୍ଘଟଣାରେ ସମୁଦାୟ 260 ଜଣଙ୍କର ମୃତ୍ୟୁ ହୋଇଥିଲା।

ଘଟଣାର ଅନେକ କାରଣ ଚର୍ଚ୍ଚା କରାଯାଉଥିଲା| କେହି ଇଂଜିନର ଦୋଷ ଦେଉଥିଲେ ତ କେହି ପାଇଲଟର ଦୋଷ ଦେଉଥିଲେ | ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ପାଇଲଟ୍ ସୁମିତ ସବରୱାଲଙ୍କୁ ଘଟଣା ପାଇଁ ଦୋଷ ଦିଆଯାଉଥିଲା | ପ୍ରାଣହରାଇଥିବା ପୁଅ ବିରୋଧରେ ଏଭଳି ଅଭିଯୋଗ ଶୁଣିବା ପରେ ପାଇଲଟଙ୍କ ବୃଦ୍ଧ ବାପା ପୁଷ୍କରାଜ ସବରୱାଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ | ତେବେ ସୁପ୍ରିମକୋର୍ଟ
ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଖଣ୍ଡପୀଠରେ ଏକ ମନ୍ତବ୍ୟ ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ ଏହି ମାମଲାର ଶୁଣାଣି କରିବା ସମୟରେ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ‘ ସଠିକ ପ୍ରମାଣ ବିନା ଦୁର୍ଘଟଣା ପାଇଁ ପାଇଲଟଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ଯେହେତୁ ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ତେଣୁ ତଦନ୍ତର ସ୍ପଷ୍ଟ ରିପୋର୍ଟ ପାଇଁ ଅପେକ୍ଷା କରିବା ଆବଶ୍ୟକ | ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ।’

ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦୁର୍ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କିନ୍ତୁ ତୁମେ (ପୁଷ୍କରାଜ) ବେଶୀ ଚିନ୍ତା କରନାହିଁ | ତୁମର ପୁଅକୁ କୌଣସି ପ୍ରକାର ଦୋଷ ଦିଆଯାଉନାହିଁ | କେହି ପାଇଲଟ୍ କୁ କୌଣସି ଜିନିଷ ପାଇଁ ଦୋଷୀ କରିପାରିବେ ନାହିଁ। ଏହି ଭୟଙ୍କର ଦୁର୍ଘଟଣାର ନ୍ୟାୟିକ ତଦାରଖ ତଦନ୍ତ ପାଇଁ ଏକ ପ୍ୟାନେଲ୍ ଗଠନ ପାଇଁ ନିର୍ଦ୍ଦେଶ ଲୋଡ଼ି ପୁଷ୍କରାଜ ଏବଂ ଭାରତୀୟ ପାଇଲଟ୍ ଫେଡେରେସନ୍ (FIP)ଙ୍କ ଆବେଦନର ଶୁଣାଣି କରି କୋର୍ଟ କେନ୍ଦ୍ର, DGCA ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି | ପାଇଲଟ୍ ସୁମିତ ସବରୱାଲଙ୍କ ବାପା ପୁଷ୍କର ରାଜ ସବରୱାଲ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ଆବେଦନରେ ପୁଷ୍କର ରାଜ ଅଭିଯୋଗ କରିଛନ୍ତି କି, ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ ନିରପେକ୍ଷ ତଦନ୍ତ ହୋଇନାହିଁ। ବୈଷୟିକ ତ୍ରୁଟିକୁ ଅଣଦେଖା କରାଯାଉଥିବା ବେଳେ ପାଇଲଟଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରାଯାଉଛି। ଶୁଣାଣି ସମୟରେ ପାଇଲଟଙ୍କ ୯୧ ବର୍ଷୀୟ ପିତାଙ୍କୁ ଆଶ୍ବସ୍ତି ଦେଇ ସୁପ୍ରିମକୋର୍ଟ କହିଛନ୍ତି, ‘ବିମାନ ଦୁର୍ଘଟଣା ପାଇଁ ଅନେକ ଲୋକ ଆପଣଙ୍କ ପୁଅକୁ ଦୋଷ ଦେଉଛନ୍ତି। ଆପଣ ଏ କଥାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ମନଦୁଃଖ କରନ୍ତୁ ନାହିଁ। ପ୍ରାଥମିକ ତଦନ୍ତରେ ଆପଣଙ୍କ ପୁଅ ଯେ ବିମାନ ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ଏ କଥାର କୌଣସି ପ୍ରମାଣ ମିଳିନାହିଁ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବା ନେଇ ଧାର୍ଯ୍ୟ ହୋଇଛି।’

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ