ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଅସୀମା ପଣ୍ଡା ଏମିତି କହି ଭୋ ଭୋ ହୋଇ କାନ୍ଦିଲେ
ଭୁବନେଶ୍ୱର;୧୮|୧୧: ଗତକାଲି ରାତିରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟିଛି | ଏହି ଦୁଃଖଦ ସମୟରେ ତାଙ୍କ ପରିବାର ସମେତ ଓଡ଼ିଆ ସଂଗୀତ ଜଗତର କଳାକାରମାନେ ମଧ୍ୟ ଭାଙ୍ଗି ପଡିଛନ୍ତି | ଏହି ପରିସ୍ଥିତିରେ ଓଡ଼ିଆ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ତାଙ୍କ ବାସଭବନକୁ ଆସିଥିଲେ | ସେ କହିଛନ୍ତି ଯେ, “ହ୍ୟୁମାନ ସାଗର ମୃତ୍ୟୁବରଣ କରିବା ଆମ ଓଡ଼ିଆ ସଂଗୀତ ଜଗତ ପାଇଁ ଏକ ବହୁତ ବଡ କ୍ଷତି | ଏଇଟା ଆମ ଓଡ଼ିଆ ଇଣ୍ଡ୍ରଷ୍ଟ୍ରିର ଦୁର୍ଭାଗ୍ୟ ଯେ ଆମେ ଏଭଳିଆ ଜଣେ କଳାକାର, ଏଭଳିଆ ଜଣେ ହୀରାକୁ ହରାଇଛୁ| ପୁରା ଇଣ୍ଡଷ୍ଟ୍ରିର ପୁରା କ୍ଷତି ଏବଂ ପୁରା ଓଡ଼ିଶାବାସୀଙ୍କର କ୍ଷତି | ସେ ମୋର ବହୁତ ଭଲ ସାଙ୍ଗ ଥିଲା | ସେ ଗଲା ପରେ ମୁ ଓଡ଼ିଆ ମ୍ୟୁଜିକ ଇଣ୍ଡ୍ରଷ୍ଟ୍ରି କଥା ଭାବି ପାରୁନି | ତାକୁ କେହି ଭି ରିପ୍ଲେସ କରିପାରିବେ ନାହିଁ |” ସେ ତାଙ୍କ ସ୍ମୃତିରେ ବହୁତ କଥା କହି କାନ୍ଦି ପକାଇଲେ |
ପୂର୍ବ ସୂଚନା ମୁତାବକ, ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା। ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ଙ୍କ ଦେହାନ୍ତ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ। ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ ଲକ୍ଷ ଲକ୍ଷ ଫ୍ୟାନ୍ସ। ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଯୋଜନା ରହିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଥିଲେ ତାଙ୍କ ମାଆ ଓ ସ୍ତ୍ରୀ ।

