Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂତୃପ୍ତ ମିଶ୍ରଙ୍କୁ ଶ୍ରୀମୟୀଙ୍କ କଟାକ୍ଷ,ସୋସିଆଲ ମିଡିଆରେ ନୂଆ ପୋଷ୍ଟ

ଭୁବନେଶ୍ୱର,୧୯|୧୧: ପୁଣି ଥରେ ଶ୍ରୀମୟୀ ମିଶ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି | ସେ ଲେଖିଛନ୍ତି ଯେ, ପୂର୍ବରୁ ଯେଉଁ ନେତାମାନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କହୁଥିଲେ, ଆଉ ବିଜୁବାବୁଙ୍କ ସହିତ ମିଶି ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ମୌନ କାହିଁକି ?

ବିଜୁବାବୁଙ୍କ ନାମରେ ଗଠିତ ରାଜନୈତିକ ଦଳରେ ରହି ନିଜ ସ୍ଵାଭିମାନ ଓ ଆଦର୍ଶ ସହ ସାଲିସ୍ କ’ଣ ପାଇଁ ? ଏବେ ପୁଣି କେଉଁ ଭୟ ଘାରିଛି ? ଗୋଟେ ପରେ ଗୋଟେ ପରାଜୟ ଦଳ ସାମ୍ନା କରୁଥିବା ବେଳେ ଦଳର ସ୍ଥିତିକୁ ସୁଦୃଢ କରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ? କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ମଧ୍ୟ କରୁଛନ୍ତି । ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ହୋଇ ରଣନୀତି ଆରମ୍ଭ କରିଦେଇଛନ୍ତି । ତେବେ ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ?

୨୦୨୪ ନିର୍ବାଚନରେ ବିଜୁବାବୁଙ୍କୁ ଦଳୀୟ ବ୍ୟାନରରୁ ହଟାଇବା ଏବଂ ତାମିଲ୍ ଜ୍ଵାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ରାଜ୍ୟବାସୀ ଦେଇସାରିଛନ୍ତି । ଶାସନ କରିବାର କ୍ଷମତା ପଳାଇଲା ତଥାପି ଚେତା ପଶିଲା ନାହିଁ, ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ | ଏବେ ନୂଆପଡା ଉପ ନିର୍ବାଚନରେ ମଧ୍ୟ ତାର ପ୍ରମାଣ ଦେଖିବାକୁ ମିଳିଲା | ନୂଆପଡାବାସୀ ଏକାଥରେ ତୃତୀୟ ସ୍ଥାନକୁ ଖସାଇ ଦେଲେ । ତଥାପି ପରାଜୟର ସମୀକ୍ଷା ଦଳ ମଧ୍ୟରେ କରାଗଲା ନାହିଁ | ଏତେସବୁ ପରେ ବି ତାମିଲ ମୋହ ତୁଟୁନି । ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତୃତ୍ବ ତାମିଲଙ୍କୁ ଟେକି ଦେବାର ଚକ୍ରାନ୍ତ ଆରମ୍ଭ କରିଦେଲେଣି ଚାଟୁକାର ଗୋଷ୍ଠୀ ।

ଏହା ପୂର୍ବରୁ ଅନେକ କଟାକ୍ଷ ପୁର୍ଣ ମନ୍ତବ୍ୟ କରି ପାଣ୍ଡିଆନ ଓ ସୁଜାତାଙ୍କୁ ଟାର୍ଗେଟ୍ କରିଥିଲେ ଶ୍ରୀମୟୀ ମିଶ୍ର । ଏଥର ଶ୍ରୀମୟୀଙ୍କ ଟାର୍ଗେଟରେ ଆସିଛନ୍ତି ସଂତୃପ୍ତ ମିଶ୍ର। ସଂତୃପ୍ତ ମିଶ୍ର ପୂର୍ବରୁ ଆଦିତ୍ୟ ବିର୍ଲା କମ୍ପନିରୁ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ | ତାଙ୍କୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି | ୨୦୨୪ କଟକ ଲୋକସଭା ନିର୍ବାଚନ ପ୍ରସଙ୍ଗ ଉଠାଇ ଶ୍ରିମୟୀ ସଂତୃପ୍ତ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି | ସେ ଲେଖିଛନ୍ତି, ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ସେଠାରେ ହାରିଲେ । ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନ ବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଆତ୍ମା ଏବେ ରାଜ୍ୟସଭା ଆଶାୟୀରେ ଅଛନ୍ତି | ତାହା ସହିତ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ କବିତା ଆକାରରେ କରିଛନ୍ତି ଆକ୍ଷେପ । ଶ୍ରୀମୟୀ ଲେଖିଛନ୍ତି ଯେ, କାହାର ରହିଛି କେତେ ଜୋର୍, ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର । ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି, ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ । ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ