Lord Ganeshaଙ୍କ ୪ଟି କାହାଣୀ, ଯାହା ଆପଣ ବୋଧହୁଏ ଜାଣିନଥିବେ
୧. ଗଣେଶଙ୍କ ହାତୀ ମୁଣ୍ଡ ପଛର କାହାଣୀ
ପୌରାଣିକ କଥା ଅନୁସାରେ, ମା’ ପାର୍ବତୀ ହଳଦୀରେ ଜଣେ ବାଳକଙ୍କ ପ୍ରତିମା ତିଆରି କରି ତାହାରେ ପ୍ରାଣ ସଞ୍ଚାର କରିଥିଲେ। ପାର୍ବତୀ ସ୍ନାନ କରୁଥିବା ସମୟରେ ଗଣେଶ ଶିବଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଏଥିରେ କ୍ରୋଧିତ ହୋଇ ଶିବ ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ। ପରେ ତାଙ୍କ ଜୀବନ ଫେରାଇବା ପାଇଁ ହାତୀର ମୁଣ୍ଡ ଲଗାଯାଇଥିବା କୁହାଯାଏ।
୨. ମହାଭାରତ ଲେଖିଥିଲେ ଗଣେଶ
ପୌରାଣିକ ବିଶ୍ୱାସ ଅନୁସାରେ, ମହର୍ଷି ବ୍ୟାସ ମହାଭାରତ କହୁଥିବା ବେଳେ ଗଣେଶ ଏହାକୁ ଲେଖିଥିଲେ। ବ୍ୟାସ ନିରନ୍ତର କହିବେ ଏବଂ ଗଣେଶ ନିରନ୍ତର ଲେଖିବେ—ଏଭଳି ସର୍ତ୍ତରେ ଏହି ମହାକାବ୍ୟ ଲେଖାଯାଇଥିବା କୁହାଯାଏ। ଲୋକକଥା ଅନୁସାରେ, ଏହା ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୩ ବର୍ଷ ଲାଗିଥିଲା।
୩. କାହିଁକି ଭାଙ୍ଗିଛି ଗଣେଶଙ୍କ ଗୋଟିଏ ଦାନ୍ତ?
ଗଣେଶଙ୍କ ଭଙ୍ଗା ଦାନ୍ତ ପଛରେ ମଧ୍ୟ ରହିଛି ଏକ ପୌରାଣିକ କାହାଣୀ। ମହାଭାରତ ଲେଖିବା ସମୟରେ ତାଙ୍କ କଲମ ଭାଙ୍ଗିଯାଇଥିଲା। ଲେଖା ବନ୍ଦ ନକରିବା ପାଇଁ ଗଣେଶ ନିଜର ଗୋଟିଏ ଦାନ୍ତ ଭାଙ୍ଗି ତାହାକୁ କଲମ ଭାବେ ବ୍ୟବହାର କରିଥିବା ବିଶ୍ୱାସ ରହିଛି। ଏଥିପାଇଁ ତାଙ୍କୁ ‘ଏକଦନ୍ତ’ ମଧ୍ୟ କୁହାଯାଏ।
୪. ଗଣେଶଙ୍କ ବାହନ କାହିଁକି ମୂଷା?
ଗଣେଶଙ୍କ ବାହନ ଭାବେ ମୂଷାକୁ ଚୟନ କରାଯିବା ପଛରେ ଦୁଇଟି ବ୍ୟାଖ୍ୟା ମିଳେ। ପୁରୁଣା ସମୟରେ ମୂଷା ଚାଷ ଓ ଧାନ୍ୟ ନଷ୍ଟ କରି ବଡ଼ ବାଧା ସୃଷ୍ଟି କରୁଥିଲା। ତେଣୁ ମୂଷା ଉପରେ ଗଣେଶଙ୍କ ଆରୋହଣକୁ ବାଧା ଉପରେ ବିଜୟର ପ୍ରତୀକ ଭାବେ ଦେଖାଯାଏ। ଅନ୍ୟ ଏକ ବିଶ୍ୱାସ ଅନୁସାରେ, ମୂଷା ଛୋଟ ଗାତ ଓ ସଂକୀର୍ଣ୍ଣ ରାସ୍ତା ଦେଇ ଯାଇପାରୁଥିବାରୁ ଗଣେଶ ସବୁଠାରେ ପହଞ୍ଚି ବାଧା ଦୂର କରିପାରନ୍ତି।

