ଆଜି ଭାରତ ‘A’ vs ବାଂଲାଦେଶ ‘A’ ସେମିଫାଇନାଲ ; ଏବେ ସମସ୍ତଙ୍କ ନଜରରେ ରାଇଜିଂ ଷ୍ଟାର୍ସ ବୈଭବ
ନୂଆଦିଲ୍ଲୀ ;୨୧|୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ ବୈଭବ ସୂର୍ଯ୍ୟବଂଶୀ ଏବେ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଆଜି ଖେଳାଯିବ। ଭାରତ A ଏବଂ ବାଂଲାଦେଶ A ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚରେ କ୍ରିକେଟ ପ୍ରେମୀଙ୍କ ନଜର ଭାରତ ‘A’ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ । ଯିଏ ଏହି ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ଭାବରେ ପ୍ରମାଣିତ ହୋଇଛନ୍ତି । ପୂର୍ବ ମ୍ୟାଚରେ ସେ ୨୦୧ ରନ କରିଥିଲେ | ଏଥିସହିତ ସୂର୍ଯ୍ୟବଂଶୀ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଏବଂ ପ୍ରାୟ ଏକାକୀ ଭାରତର ବ୍ୟାଟିଂକୁ ନିୟନ୍ତ୍ରଣ କରିଛନ୍ତି ।
ଭାରତ A ର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବେ ବି ଫର୍ମ ସହ ସଂଘର୍ଷ କରୁଛନ୍ତି। ଅଧିନାୟକ ଜିତେଶ ଶର୍ମା, ନମନ ଧୀର, ପ୍ରିୟାଂଶ ଆର୍ଯ୍ୟ ଏବଂ ନେହାଲ ୱାଧେରା ଏପର୍ଯ୍ୟନ୍ତ ଦଳ ଆଶା କରିଥିବା ପ୍ରଦର୍ଶନ ଦେଇନାହାଁନ୍ତି । ସେଥିପାଇଁ ସେମିଫାଇନାଲ ଭଳି ବଡ଼ ମ୍ୟାଚ୍ ପାଇଁ ସୂର୍ଯ୍ୟବଂଶୀ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ। ବାଂଲାଦେଶର ପେସର ରିପନ ମଣ୍ଡଳ ଏବଂ ବାମହାତୀ ସ୍ପିନର ରକିବୁଲ ହାସନ ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରନ୍ତି। ସୂର୍ଯ୍ୟବଂଶୀଙ୍କ ସମେତ ଟିମ୍ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ୍ମାନଙ୍କୁ ସେମାନଙ୍କ ବିପକ୍ଷରେ ବହୁ ସତର୍କତାର ସହିତ ଖେଳିବାକୁ ପଡ଼ିବ ।
ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତ A ର ବୋଲିଂ ୟୁନିଟ୍ ଦମଦାର ପ୍ରଦର୍ଶନ ଜାରି ରଖିଛି । ବାମହାତୀ ଦ୍ରୁତ ବୋଲର ଗୁରଜପାନିତ୍ ସିଂହ ତିନୋଟି ମ୍ୟାଚ୍ରେ ପାଞ୍ଚଟି ୱିକେଟ୍ ନେଇ ଦଳର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ବାମହାତୀ ସ୍ପିନର୍ ହର୍ଷ ଦୁବେ ଏବଂ ଲେଗ୍-ସ୍ପିନର ସୁୟାଶ ଶର୍ମାଙ୍କ ପୂର୍ଣ୍ଣ ସମର୍ଥନ ମିଳୁଛି । ଯଦି ଭାରତ ‘A’ ଏବଂ ପାକିସ୍ତାନ ‘A’ ଉଭୟ ସେମାନଙ୍କର ସେମିଫାଇନାଲ ମ୍ୟାଚରେ ବିଜୟ ଲାଭ କରନ୍ତି ତେବେ ନଭେମ୍ବର ୨୩ ତାରିଖରେ ଦୋହାରେ ଅନୁଷ୍ଠିତ ଫାଇନାଲରେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମୁହାମୁହିଁ ହେବେ । ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା। ତେଣୁ ଫାଇନାଲରେ ଭାରତ, ପାକିସ୍ତାନକୁ ପରାସ୍ତ କରି ଏହି ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।

