ସମୃଦ୍ଧ ଓଡ଼ିଶା ୨୦୩୬ ଉଦଘାଟିତ; ଓଡ଼ିଶାକୁ ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର ୨୫।୧୧: ଆଜି ସମୃଦ୍ଧ ଓଡ଼ିଶା ୨୦୩୬ ଉଦଘାଟିତ ହୋଇ ଯାଇଛି। ଏହି ସମୃଦ୍ଧ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମ ଓଡ଼ିଶା ସରକାର ଏବଂ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଅଛନ୍ତି । ଆସନ୍ତା ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ଶିଳ୍ପ ବିଭାଗର ମୁଖ୍ୟ ଭୂମିକା ନିର୍ଵାହକୁ ନେଇ ଦୁଇଦିନ ଧରି ଆଲୋଚନା ଜାରି ରହିବ | ୨୦୩୬ରେ ଓଡ଼ିଶାକୁ ୫୦୦ ବିଲିୟନ ଅର୍ଥନୀତିରେ ପହଞ୍ଚାଇବାର ମୁଖ୍ୟ ଲକ୍ଷ୍ୟ ରହିଛି ରାଜ୍ୟ ସରକାରଙ୍କର। ଏଥିପାଇଁ ଇଣ୍ଡଷ୍ଟ୍ରି ଲିଡର, ନିବେଶକ ଏବଂ ନୀତି ନିର୍ଦ୍ଧାରକ ମାନେ ମଧ୍ୟ ଏହି ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଡ୍ରିମ୍ ଡିକେଡ । ଗତ ୮୦ ବର୍ଷ ଓଡ଼ିଶାର ଲସ୍ ଡିକେଡ । ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଓଡ଼ିଶାରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଏହା ଓଡିଶାର ଅର୍ଥନୀତି ଅଗ୍ରଗତିରେ ଏକ ନୂତନ ଦିଶା ଆଣିଦେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ଅର୍ଥନୀତି ଏବେ ୧୨୦ ବିଲିୟନରେ ପହଞ୍ଚିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ। ଆମ ସରକାର ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଯାହାଫଳରେ ଆଗକୁ ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ୨ ଲକ୍ଷ କୋଟିର ପ୍ରକଳ୍ପ ଗ୍ରାଉଣ୍ଡିଂ ହୋଇ ସାରିଛି। ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲାବେଳେ ଆମେ ୫ରେ ଅଛୁ। ଓଡ଼ିଶା ଏକ ନମ୍ବରରେ ଅଛି । ଖୁବଶୀଘ୍ର ଓଡ଼ିଶା ହ୍ୟୁମାନ କ୍ୟାପିଟାଲ ହେବାକୁ ଯାଉଛି । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇ ସାରିଛି । ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି। ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ରହିବ ଓଡ଼ିଶା ଅଗ୍ରଣୀ ରହିବ।
ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରି କହିଛନ୍ତି ଯେ, ୨୪ ବର୍ଷ ସରକାରରେ ରହି ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନନେବା ଓଡ଼ିଶାକୁ ଧୋକ୍କା ଦେଇଛି। ଏପର୍ଯ୍ୟନ୍ତ ଶିଳ୍ପରେ ଓଡିଶା ଯେତିକି ଆଗକୁ ବଢିବା କଥା ସେତିକି ଆଗକୁ ବଢି ପାରିନାହିଁ| ଚାହିଁଥିଲେ ଆଗକୁ ଶିଳ୍ପ କ୍ଷେତ୍ରରେ ଉନ୍ନତି କରିପାରିଥାନ୍ତେ କିନ୍ତୁ କଲେ ନାହିଁ | ଏହା ତାଙ୍କର ଦୂରଦୃଷ୍ଟିରୁ ଅଭାବ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଥିଲା । ଶାସନ ପ୍ରଶାସନକୁ କେବଳ ଏକ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ । ଗତ ସରକାରରେ ମେକ୍ ଇନ୍ ଓଡ଼ିଶାର ୩ଟି ସଂସ୍କରଣ ହୋଇଥିଲା, ଅନେକ ବୁଝାମଣା ହୋଇଥିଲା। କିନ୍ତୁ ବାସ୍ତବରେ କେତେଟା ମଂଜୁର ହେଲା ତାହା ସମସ୍ତେ ଜାଣିଛନ୍ତି। ୨୪ ବର୍ଷ ସରକାରରେ ଓଡିଶା ଆହୁରି ପଛକୁ ଫେରି ଯାଇଛି |
ଆମ ସରକାର ଆସିବାର ଦେଢ଼ ବର୍ଷ ଭିତରେ ଆମେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ। ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି। ଆମ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟରେ ସୀମିତ ନାହିଁ। ରିୟଲ ଟାଇମ୍ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ। ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ। ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଂ କାମ ସରିଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

