Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: କାର୍ଯ୍ୟଛାଡ ଆନ୍ଦୋଳନ କଲେ ସ୍ବାସ୍ଥ୍ୟକର୍ମୀ, ଅଟକିଲା ଟିକାକରଣ

ବାଲିଗୁଡା, ତା, ୨୬/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନଏମ)ବୁଲିଦେଇ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ବାଟୁଳି ଖଡା ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ବ୍ଲକ ଅଞ୍ଚଳର ଅନ୍ୟ ୨୫ ପଞ୍ଚାୟତରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀମାନେ ଏହାର ଘୋର ନିନ୍ଦା କରିବା ସହ ପ୍ରତିବାଦ ଜଣାଇ କାର୍ଯ୍ୟଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ବୁଧବାର ରହିଥିବା ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ। ଫଳରେ ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କୁ ଟିକାକାରଣରେ ବାଧାପ୍ରାପ୍ତ ହୋଇଛି । କାର୍ଯ୍ୟବନ୍ଦ ସମ୍ପର୍କରେ ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟକୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସରକାରୀ କାର୍ଯ୍ୟରେ ରହିଥିବା ବେଳେ ସୋନପୁର ପଞ୍ଚାୟତ ମହିଳା ସ୍ବାସ୍ଥ୍ୟକର୍ମୀ ବୁଲିଦେଇ ସାହୁଙ୍କୁ ଆକ୍ରମଣ କରାଯାଇଛି । ସେ ଗୁରୁତର ହୋଇ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି । ସରକାର ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ତାଙ୍କ ପରିବାରର ଦାୟିତ୍ୱ ନେବାକୁ କୁହାଯାଇଛି। ସେହିପରି ଯେଉଁ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ମଧ୍ୟ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ସେହିପରି କାର୍ଯ୍ୟରତ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାର ନୂଆ ନିୟମ ଆଣିବାକୁ ସେମାନେ ଦାବି କରିବା ସହ ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ସେମାନେ ଲିଖିତ ଜଣାଇଛନ୍ତି । ତାଙ୍କ ଦାବି ପୂରଣ ନ ହେବା ଯାଏ ଏଭଳି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି। ମହିଳା ସ୍ବାସ୍ଥ୍ୟକର୍ମୀ ଶୋଭାଯାତ୍ରାରେ ବାହାରି ଆହତ ହୋଇଥିବା ବୁଲିଦେଇ ସାହୁଙ୍କ ଆହତ ଚିତ୍ର ରହିଥିବା ବ୍ୟାନର ଧରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କ ସମେତ ଦାରିଙ୍ଗବାଡି ଥାନା, ବିଡ଼ିଓ, ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭାଗୀୟ ସଚିବ, ମନ୍ତ୍ରୀ ଆଦି ସମସ୍ତଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ମହିଳା ସ୍ବାସ୍ଥ୍ୟକର୍ମୀ ସଙ୍ଘର ବ୍ଲକ ସଭାନେତ୍ରୀ ବିଦେଶିନୀ ଦାସ, ନର୍ମଦା ମହାରଣା, ନିରୁପମା ପ୍ରଧାନ ପ୍ରମୁଖ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ