ଭୁଲି ନାହାନ୍ତି ୨୫ବର୍ଷ ତଳର ସ୍ମୃତି; ପୂର୍ବତନ କର୍ମଚାରୀଙ୍କୁ ଚିହ୍ନିଲେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର,୨୮|୧୧: କାଲିର ଦିନ ଓଡିଶା ପାଇଁ ଏକ ଐତିହାସିକ ଦିନ ଥିଲା | କାରଣ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ବିଧାନସଭା ଅଧିବେଶନକୁ ସମ୍ବୋଧନ କରିଥିଲେ |ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ ପାଇଁ ସମ୍ପୂର୍ଣ ବ୍ୟବସ୍ଥା ବଡ ଆଡ଼ମ୍ବରରେ କରାଯାଇଥିଲା | ରାଷ୍ଟ୍ରପତିଙ୍କ ଅଭିଭାଷଣ ଓଡିଶା ବିଧାନସଭାରେ ପ୍ରଥମ | ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଯେତେବେଳେ ରଖୁଥିଲେ ସେ ତାଙ୍କ ରାଜନୀତି କ୍ୟାରିୟରର ପ୍ରତିଟି ସ୍ମୃତିକୁ ମନେ ପକେଇଥିଲେ | ବିଧାୟକରୁ ମନ୍ତ୍ରୀ ଏବଂ ରାଷ୍ଟ୍ରପତି ହେବାର ଯାତ୍ରା ସବୁର ସ୍ମୃତି ବିଷୟରେ ସେ ତାଙ୍କ ଅଭିଭାଷଣରେ ରଖିଥିଲେ |
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଗହଳି ଭିଡ ମଧ୍ୟରେ ବି ରାଷ୍ଟ୍ରପତି ତାଙ୍କୁ ଚିହ୍ନି ପାରିଥିଲେ | ଦିନେ ସେ ତତ୍କାଳୀନ ମନ୍ତ୍ରୀ ତଥା ଏବେକାର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କର୍ମଚାରୀ ଥିଲେ । ସକାଳୁ ରାତି ପର୍ଯ୍ୟନ୍ତ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ, କଣ ଖାଇବେ, କୁଆଡ଼େ ଯିବେ ସବୁକିଛି ବୁଝିବା ତାଙ୍କର ଦାୟିତ୍ୱ ଥିଲା । ସବୁବେଳେ ପାଖେପାଖେ ରହୁଥିଲେ | ସମୟ ବଦଳିଛି, ସେତେବେଳର ମନ୍ତ୍ରୀ ଆଜି ଦେଶର ରାଷ୍ଟ୍ରପତି କିନ୍ତୁ ତାଙ୍କ ସେବାରେ ଥିବା ପୁରୁଣା କର୍ମଚାରୀଙ୍କୁ ସେ ଭୁଲି ନାହାନ୍ତି । ଦେଖୁଦେଖୁ ଚିହ୍ନିଲେ, ଡାକିଦେଇ ପଚାରିଲେ, ‘ଆରେ ଅନନ୍ତ କେମିତି ଅଛ, ଘରେ ସବୁ ଠିକ୍ଠାକ୍ ତ ?’ ବାସ୍, ରାଷ୍ଟ୍ରପତିଙ୍କ ମୁହଁରୁ ଦୁଇପଦ କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଥିଲେ ଜମାଦାର ଅନନ୍ତ ଚରଣ ବେହେରା।
ଗତକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ଆସିଥିଲେ । ଏହା ପୂର୍ବରୁ ଅନେକ ଥର ଆସିଛନ୍ତି କିନ୍ତୁ ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିଥିଲେ | ଅଭିଭାଷଣ ଦେଇ ଫେରିବା ସମୟରେ ତାଙ୍କ ନଜର ପଡିଥିଲା ଅନନ୍ତଙ୍କ ଉପରେ । ୨୦୦୦-୨୦୦୪ ମସିହାରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଅନନ୍ତ ତାଙ୍କର ବ୍ୟକ୍ତିଗତ ଜମାଦାର ଥିଲେ । ଦିନସାରା ଅନନ୍ତ ମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ । ତେବେ ଏହି ଘଟଣାକୁ ୨୫ ବର୍ଷ ବିତିଗଲାଣି ଏବଂ ଅନନ୍ତ ୟା ମଧ୍ୟରେ ଅନେକ ମନ୍ତ୍ରୀଙ୍କ ଜମାଦାର ଭାବେ କାମ କରିଛନ୍ତି । ଅବସର ପରେ ବି ସେ ମନ୍ତ୍ରୀଙ୍କ ଜମାଦାର ଭାବେ କାମ କରୁଛନ୍ତି । କାଲି ରାଷ୍ଟ୍ରପତିଙ୍କ ଆଗମନ ଜାଣି ସେ ବିଧାନସଭାକୁ ଆସିଥିଲେ । ଏବଂ ତାଙ୍କୁ ଦେଖା କରିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ |
ବିଧାନସଭାରେ ଅଭିଭାଷଣ ପରେ ରାଷ୍ଟ୍ରପତି ବାହାରକୁ ଆସିବା ବେଳେ ହଠାତ୍ ଆଖି ଆଗରେ ପଡ଼ିଗଲେ ଅନନ୍ତ । ଦେଖୁଦେଖୁ, ସେ ଅନନ୍ତଙ୍କୁ ଡାକିବା ସହ ଭଲମନ୍ଦ ପଚାରିଥିଲେ। ୨୫ ବର୍ଷ ବିତିବା ପରେ ବି ରାଷ୍ଟ୍ରପତି ଏତେ ଗହଳି ଭିତରୁ ତାଙ୍କୁ ଚିହ୍ନିବା ଏବଂ ତାଙ୍କ ଭଲ ମନ୍ଦ ବିଷୟରେ ପଚାରିବା ଭଳି ଦୁଇପଦ କଥାରେ ଅନନ୍ତ ଖୁସି ହୋଇଯାଇଥିଲେ |

