Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଏନଏମ୍‌ଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଯୁବକ ଗିରଫ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବାଲିଗୁଡା, ତା, ୨୭/୧୧ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ବୁଲିଦେଇ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ଅଟକ ରହିଥିବା ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରିଛି। ଗିରଫ ଯୁବକ ସୋନପୁରର ଗୋବିନ୍ଦ ବେହେରା (୨୬)ବୋଲି ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି । ଯୁବକଙ୍କ ନାମରେ ପୋଲିସ ମାମଲା (୨୨୭/୨୫) ରୁଜୁ କରିଛି। ଗିରଫ ଯୁବକ ନାମରେ ଭାରତ ନ୍ୟାୟ ସଂହିତା ୨୦୨୩(୩୨୯)୩, (୨୯୬) ଏବଂ (୧୦୯) ଧାରାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ଅପରାହ୍ନରେ ପୋଲିସ ଗିରଫ ଯୁବକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି। ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏଏନଏମ ବୁଲିଦେଇ ନିଜ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା ବେଳେ ଗୋବିନ୍ଦ ପୂର୍ବରୁ ତାଙ୍କ ଘର ବାହାରେ ଲୁଚି ରହିଥିଲେ । ବୁଲିଦେଇ ତାଙ୍କ ଘରର ଫାଟକରେ ଚାବି ପକାଇବାକୁ ଆସିଥିବା ବେଳେ ଗୋବିନ୍ଦ ବାଟୁଳି ଖଡାରେ ବୁଲିଦେଇଙ୍କ ଆଖିକୁ ଆକ୍ରମଣ କରିଥିଲେ। ଫଳରେ ବୁଲିଦେଇଙ୍କ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ଏବେ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଅଧିକା ତଦନ୍ତ ଚାଲିଥିବା ପୋଲିସ କହିଛି। ଘଟଣାକୁ ନେଇ ପୂର୍ବରୁ ଉକ୍ତ ବ୍ଲକର ୨୫ ପଞ୍ଚାୟତର ମହିଳା ସ୍ବାସ୍ଥ୍ୟକର୍ମୀମାନେ ବୁଲିଦେଇଙ୍କୁ ମାଗଣା ଚିକିତ୍ସା ସହ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି। ଏହାସହ କାର୍ଯ୍ୟବନ୍ଦ ରଖିବା ସହ ପୋଲିସ, ବିଡ଼ିଓ, ତହସିଲଦାର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ରାଜ୍ୟ ବିଭାଗୀୟ ସଚିବ, ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେହିପରି ଶୁକ୍ରବାର ସୋନପୁର ପଞ୍ଚାୟତରେ କାର୍ଯ୍ୟରତ ଆଶାକର୍ମୀ ମାନେ ମଧ୍ୟ ବୁଲିଦେଇଙ୍କ ପାଇଁ ବିଭିନ୍ନ ଦାବି ନେଇ ଲିଖିତ ଦାବି ପତ୍ର ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଦେବା ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ