ମାଟ୍ରିକ୍ ପରୀକ୍ଷା ଖାତା ରିଚେକିଂ ପାଇଁ ଆଜିଠୁ ଆରମ୍ଭ ଆବେଦନ
        କଟକ: ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା ଖାତା ରିଚେକିଂ ପାଇଁ ଆବେଦନ। ଆଜିଠୁ ଆବେଦନ କରିବେ ଛାତ୍ରଛାତ୍ରୀ । ଆସନ୍ତା ଜୁନ୍ ୬ ତାରିଖ ଯାଏ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ଗତ ୧୮ ତାରିଖରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। ଏହାକୁ ନେଇ କିଛି ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ଆଉ କିଛି ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଯେଉଁମାନେ ନିଜ ମାର୍କକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ପୁଣି ଥରେ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଏହି ଆବେଦନ ଅନଲାଇନରେ କରିହେବ । ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଯାଞ୍ଚ ଓ ପରୀକ୍ଷା ଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ ।
ତେବେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ୱେବସାଇଟରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି । ଫି’ ଓ ଆବେଦନପତ୍ର ଦାଖଲ କରିବାର କିଛି ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍ ପ୍ରଦାନ କରିବେ । ଖାତାର ଅବିକଳ ନକଲ ଆବେଦନକାରୀମାନେ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

                        