Odisha Assembly Winter Session: ବନ୍ୟା ଓ କୋଟିଆ ପ୍ରସଙ୍ଗରେ ହୁଲସ୍ତୁଲ ହେବ ବିଧାନସଭା, ୧୮ରୁ ଶୀତ ଅଧିବେଶନ
ଭୁବନେଶ୍ୱର: ଗଞ୍ଜାମର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଆଗାମୀ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମ ଦିନରୁ ହିଁ ବନ୍ୟା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବା ସହ ବିଧାନସଭା ବାହାରେ ମଧ୍ୟ ବିକ୍ଷୋଭ କରିବାକୁ ବିରୋଧୀ ଯୋଜନା କରୁଛନ୍ତି। ବନ୍ୟା ସହ କୋଟିଆ, ଏମଏମଡିଆର ଆଇନ ସଂଶୋଧନ, ଦରଦାମ ବୃଦ୍ଧି ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ମଧ୍ୟ ଗୃହରେ ଉଠିପାରେ। ଏପଟେ ଶାସକ ବିଜେପି ମଧ୍ୟ ପୂର୍ବ ସରକାରଙ୍କ ତ୍ରୁଟି ଦର୍ଶାଇ ବିରୋଧୀଙ୍କୁ ପାଲଟା ଜବାବ ଦେବାକୁ ପ୍ରସ୍ତୁତ ହେଉଛି।
ଅଧିବେଶନ ପାଇଁ ନଭେମ୍ବର ୧୭ରେ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଧାୟକମାନଙ୍କୁ ରଣନୀତି ବାବଦରେ ମାର୍ଗଦର୍ଶନ କରିବେ। ସେହିପରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ପ୍ରମୁଖ ରାଜ୍ୟ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଦେବେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ବନ୍ୟା, କୋଟିଆ, ଦରଦାମ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇବାକୁ କହିଛନ୍ତି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ନଭେମ୍ବର ୩୦ରେ ଏହା ଉପରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ।

