ଶୁଭମିତ୍ରା ହତ୍ୟା କାଣ୍ଡକୁ ସାମ୍ନାକୁ ଆସିଲା ବଡ ତଥ୍ୟ; ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭୁବନେଶ୍ବର କ୍ୟାପିଟାଲ ପୋଲିସ
ଭୁବନେଶ୍ୱର;୨|୧୨: ଚର୍ଚ୍ଚାରେ ରହିଥିବା ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭୁବନେଶ୍ବର କ୍ୟାପିଟାଲ ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ୪୨ ଜଣ ସାକ୍ଷ୍ୟ ଦେଇଛନ୍ତି | ସେମାନଙ୍କ ବିରୋଧରେ ବିଏନ୍ଏସ ଦଫା ୧୦୩(୧), ୨୩୮ ଓ ୬୧(୨) ଚାର୍ଜସିଟ୍ ଦାଖଲ ହୋଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁଙ୍କ ସମେତ ଜଟିଆ ଓ ସମ୍ଭୁ ମହନ୍ତଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ |
ଦିଆଯାଇଥିବା ଚାର୍ଜସିଟ ଅନୁଯାଇ, ଆନୁଷ୍ଠାନିକ ବିବାହ କରିବାକୁ ଶୁଭମିତ୍ରା ଧାର ଦେଇଥିବା ଟଙ୍କା ମାଗିବା ହିଁ ହତ୍ୟାର ମୁଖ୍ୟ କାରଣ ରହିଛି। ଏଥିସହ ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଟଙ୍କା ହାତେଇବାକୁ ଦୀପକ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା। ଏହି ହତ୍ୟାକାଣ୍ଡର ସବୁଦିଗରୁ ତଦନ୍ତ କରି ବିଭିନ୍ନ ପ୍ରମାଣକୁ ଏକାଠି କରି ପ୍ରାୟ ୬୮୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି କ୍ୟାପିଟାଲ୍ ଥାନା ପୋଲିସ।
ଗତ ସେପ୍ଟେମ୍ବର ୬ ତାରିଖରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦୀପକ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପୋତି ଦେଇଥିଲା। ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରିଥିଲା କମିଶନରେଟ୍ ପୋଲିସ।

