Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶ୍ନ ଏବଂ ତଦନ୍ତ ଘେରରେ ୩୫ ହଜାର କୋଟିର ପ୍ରକଳ୍ପ; ୧୭ ତାମିଲ ଠିକାଦାରଙ୍କ ଉପରେ ହୋଇପାରେ ତଦନ୍ତ

ଭୁବନେଶ୍ୱର;୨|୧୨: ବିଧାନସଭା ଶୀତକାଳୀନ ଅଧିବେଶନରେ ଚାଲିଛି ଗରମାଗରମ ମାହୋଲ | ପୂର୍ବ ଶାସକ ଦଳକୁ ଘେରିଛନ୍ତି ଅନ୍ୟଦଳର ବିଧାୟକମାନେ | ତେବେ ଉଭୟ ପ୍ରଶ୍ନ ଏବଂ ତଦନ୍ତ ଭିତରେ ଘେରି ହୋଇ ରହିଛି ବିଜେଡି ଦଳ | ଏହି ଭିତରେ ବିଜେଡି ଦଳ ଦ୍ୱାରା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିର ହୋଇପାରେ ତଦନ୍ତ । ବିଧାନସଭାରେ ଉତ୍ତର ବେଳେ ସଂକେତ ଦେଲେ ମନ୍ତ୍ରୀ । ୩୫ ହଜାର କୋଟିର ପ୍ରକଳ୍ପ କାହିଁକି କେବଳ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା | ଯାହାକୁ ନେଇ ପ୍ରଶ୍ନ ରଖିଛନ୍ତି ବିଧାୟକ ଏହାକୁ ନେଇ ଆଗକୁ ହୋଇପାରେ ତଦନ୍ତ ।

ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ ନହେବାରୁ କାହିଁକି ଠିକାଦାର ମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍।

ଜବାବରେ ମନ୍ତ୍ରୀ କହିଲେ, ବର୍ତ୍ତମାନ ସୁଦ୍ଧା ନୂଆ ସରକାର ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପ ୯୦ ପ୍ରତିଶତ ଶେଷ ହୋଇଛି । ହେଲେ ସବୁଠାରୁ ବଡ଼ କଥା, ବିଜେଡି ସରକାର ସମୟରେ ଠିକା ଦିଆଯାଇଥିବା ୧୭ ଠିକାଦାର ତାମିଲନାଡୁର | ଏହାର କାରଣ କଣ ରହିଛି ଏହା କହି ପୂର୍ବ ସରକାରକୁ କଟାକ୍ଷ କଲେ ମନ୍ତ୍ରୀ । ଓଡ଼ିଆ ଲୋକଙ୍କୁ ଠିକା ଦେଇଥିଲେ କାମ ଭଲ ହୋଇଥାନ୍ତା ବୋଲି କହିଲେ ମନ୍ତ୍ରୀ ରବି ନାଏକ । ଏହାସହ ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ହେବ ବୋଲି ସଂକେତ ଦେଲେ ମନ୍ତ୍ରୀ ।

ଅନ୍ୟପକ୍ଷରେ ଆଶ୍ଚଯ୍ୟକର କଥା ହେଉଛି ପୂର୍ବ ସରକାରରେ ଯାଜପୁର ଜିଲ୍ଲାରେ ନିର୍ମାଣ ମେଗା ପାନୀୟ ଜଳ ପ୍ରକଳ୍ପର ପୋଲ ଖୋଲିଲେ ନିଜେ ବିଜେଡି ବିଧାୟିକା ସୁଜାତା ସାହୁ । ପ୍ରଶ୍ନକାଳରେ ଯାଜପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ପ୍ରସଙ୍ଗ ଉଠାଇ ସୁଜାତା କହିଥିଲେ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୨୦୨୨ ରେ ଶେଷ ହେବାର ଥିଲା । କିନ୍ତୁ ତାହା ସମୟସୀମା ମଧ୍ୟରେ ହୋଇପାରିଲା ନାହିଁ । ମନ୍ତ୍ରୀ କେତେ ଜଣ ଠିକାଦାରଙ୍କ ଉପରେ ଆକ୍ସନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟିକା । ସେପଟେ ମାର୍ଚ୍ଚ ୨୦୨୬ ସୁଦ୍ଧା ପାଣି ପହଞ୍ଚାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

ସେହିଭଳି ଭାବରେ ବିଧାନସଭାର ପ୍ରଶ୍ନକାଳରେ ପୂର୍ବ ସରକାର କଟେଜ କେଳେଙ୍କାରୀର ଗୁମର ଖୋଲିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ପୂର୍ବ ସରକାର ବିଭିନ୍ନ ସ୍ଥାନରେ ଅନେକ କଟେଜ କରିଥିଲେ । କିନ୍ତୁ ସେସବୁ କ୍ଷତିରେ ଚାଲୁଥିଲା । ୫୧ଟି ବନଖଣ୍ଡରେ ଇକୋ ଟୁରିଜିମ୍ ରହିଛି । ସେଥିରୁ ୧୦ଟି ଲାଭରେ ଚାଲୁଛି । ଆଉ ସମସ୍ତ କ୍ଷତିରେ ଚାଲୁ ଅଛି । ଗତବର୍ଷ ଏଥିପାଇଁ ୮୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଅତିରିକ୍ତ ବଜେଟରେ ମଧ୍ୟ ୮୦ କୋଟି ରଖାଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜି ପ୍ରଶ୍ନ କାଳରେ ସଦସ୍ୟମାନେ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ନୂଆ ଇକୋ ଟୁରିଜିମ୍ ଓ କଟେଜ କରିବା ପାଇଁ ଦାବି କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ